Spread the love

 

ଭୁବନେଶ୍ୱ/କଟକ: “ଓଡ଼ିଶାର କଟକଠାରେ ମହାନଦୀ ଜଳତଟ ସମନ୍ୱିତ ବିକାଶ (ପାଞ୍ଚ ବର୍ଷର ସମ୍ପୂର୍ଣ୍ଣ ପରିଚାଳନା ଓ ରକ୍ଷଣାବେକ୍ଷଣ ସହିତ EPC ଚୁକ୍ତି)” କାର୍ଯ୍ୟ ପାଇଁ ବିଡିଂ ପ୍ରକ୍ରିୟା/ଟେଣ୍ଡରର ଫଳାଫଳ ଅନୁମୋଦନ।

କଟକଠାରେ ମହାନଦୀ ଜଳତଟ ଗୁରୁତ୍ୱପୂର୍ଣ୍ଣ ପରିବେଶଗତ, ସାଂସ୍କୃତିକ, ଆମୋଦ-ପ୍ରମୋଦ ଏବଂ ପର୍ଯ୍ୟଟନ ସମ୍ଭାବନା ବହନ କରେ। ଜନସାଧାରଣଙ୍କ ପାଇଁ ଉନ୍ନତମାନର ସାର୍ବଜନୀନ ସ୍ଥାନ ସୃଷ୍ଟି କରିବା, ନଦୀକୂଳ ପରିବେଶର ସୁଧାର ଆଣିବା ଏବଂ ମନୋରଞ୍ଜନ, ସାଂସ୍କୃତିକ ତଥା ପର୍ଯ୍ୟଟନ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ଏହାର ସମନ୍ୱିତ ବିକାଶ ପାଇଁ ପରିକଳ୍ପନା କରିଛନ୍ତି।

କଟକଠାରେ ମହାନଦୀ ଜଳତଟ ସମନ୍ୱିତ ବିକାଶକୁ ଏକ ପ୍ରମୁଖ ସାର୍ବଜନୀନ-ସ୍ଥଳ ଏବଂ ସହରାଞ୍ଚଳ ପୁନରୁଦ୍ଧାର ପଦକ୍ଷେପ ଭାବରେ ଗ୍ରହଣ କରାଯାଇଛି। ନଦୀକୂଳ ଭ୍ରମଣ ପଥ (ପ୍ରୋମେନାଡ୍), ପ୍ରାକୃତିକ ସୌନ୍ଦର୍ଯ୍ୟକରଣ (ଲ୍ୟାଣ୍ଡସ୍କେପିଂ), ସାଂସ୍କୃତିକ ଓ ମନୋରଞ୍ଜନ ସୁବିଧା, ଜଳାଶୟ, ସାର୍ବଜନୀନ ସୁବିଧାସୁଯୋଗ ଏବଂ ଏକ ସମନ୍ୱିତ ପାଦଚଲା ଓ ଗମନାଗମନ ନେଟୱାର୍କ ବିକାଶ ମାଧ୍ୟମରେ ମହାନଦୀ ଜଳତଟକୁ ଏକ ଜୀବନ୍ତ, ସୁଗମ ତଥା ପରିବେଶ ସନ୍ତୁଳିତ ସାର୍ବଜନୀନ କ୍ଷେତ୍ରରେ ରୂପାନ୍ତରିତ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏହି ବିକାଶ କାର୍ଯ୍ୟ କଟକର ସାଂସ୍କୃତିକ ଓ ପର୍ଯ୍ୟଟନ ପରିଚୟକୁ ସୁଦୃଢ଼ କରିବା ସହିତ ପରିବେଶ ସମ୍ବେଦନଶୀଳତା, ସାର୍ବଜନୀନ ସୁଗମତା, ଜନସାଧାରଣଙ୍କ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ସହନଶୀଳତାକୁ ପ୍ରାଥମିକତା ଦେବ।

ଏହି ପ୍ରକଳ୍ପର ପ୍ରମୁଖ ଅଂଶଗୁଡ଼ିକ ହେଲା:

  • ନଦୀକୂଳ ଭ୍ରମଣ ପଥ (ରିଭରଫ୍ରଣ୍ଟ ପ୍ରୋମେନାଡ୍)ର ବିକାଶ
  • ଲ୍ୟାଣ୍ଡସ୍କେପିଂ ଏବଂ ପରିବେଶ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ
  • ‘କଟକ ହାଟ’ର ପ୍ରତିଷ୍ଠା
  • ଏକ ଆଙ୍କର ପାଭିଲିୟନ (Anchor Pavilion) ନିର୍ମାଣ
  • ମୁକ୍ତାକାଶ ରଙ୍ଗମଞ୍ଚ (Open-Air Theatre)ର ବିକାଶ
  • ଜଳାଶୟଗୁଡ଼ିକର ବିକାଶ ଓ ପୁନରୁଦ୍ଧାର
  • ସଂଲଗ୍ନ ସାର୍ବଜନୀନ ସୁବିଧାସୁଯୋଗ, ପାଦଚଲା ପଥ, ପାର୍କିଂ ବ୍ୟବସ୍ଥା, ୟୁଟିଲିଟି ଭିତ୍ତିଭୂମି ଏବଂ ଆନୁଷଙ୍ଗିକ ଉନ୍ନୟନ କାର୍ଯ୍ୟ

ଏହି ପ୍ରକଳ୍ପରେ ପାଦଚଲା ଏବଂ ଅଣ-ମୋଟରଚାଳିତ ଚଳପ୍ରଚଳ ନେଟୱାର୍କ, ସୁସଜ୍ଜିତ ଉଦ୍ୟାନ, ସାଂସ୍କୃତିକ ଓ ମନୋରଞ୍ଜନ ସ୍ଥଳ, ଆଲୋକୀକରଣ, ନଜରଦାରୀ (ସର୍ଭିଲାନ୍ସ) ବ୍ୟବସ୍ଥା, ସାର୍ବଜନୀନ ସୁବିଧା ଏବଂ ସହାୟକ ଭିତ୍ତିଭୂମି ମଧ୍ୟ ଅନ୍ତର୍ଭୁକ୍ତ ହେବ। ପ୍ରଯୁଜ୍ୟ ବୈଧାନିକ ନିୟମାବଳୀ, ପରିବେଶଗତ ଆବଶ୍ୟକତା ଏବଂ ଜାତୀୟ ସବୁଜ ପ୍ରାଧିକରଣ (NGT)ର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟ ସମ୍ପାଦିତ କରାଯିବ। ସରକାର ଏହି ପ୍ରକଳ୍ପ ପାଇଁ ୧୩୩,୭୧,୯୭,୦୧୫/- ଟଙ୍କା (GST ବ୍ୟତୀତ) (ଏକ ଶହ ତେତିଶ କୋଟି ଏକସ୍ତରୀ ଲକ୍ଷ ସତାନବେ ହଜାର ପନ୍ଦର ଟଙ୍କା ମାତ୍ର) ଖର୍ଚ୍ଚ କରିବେ।

ନିର୍ମାଣ କାର୍ଯ୍ୟ ନଭେମ୍ବର ୨୦୨୬ରେ ଆରମ୍ଭ ହୋଇ ନଭେମ୍ବର ୨୦୨୮ ସୁଦ୍ଧା ଶେଷ ହେବାକୁ ଧାର୍ଯ୍ୟ କରାଯାଇଛି। ନିର୍ମାଣ କାର୍ଯ୍ୟ ସରିବା ପରେ, ମନୋନୀତ ସଂସ୍ଥା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ପରିଚାଳନା ଓ ରକ୍ଷଣାବେକ୍ଷଣ (Operation & Maintenance) ଦାୟିତ୍ୱ ତୁଲାଇବେ। ନିର୍ଦ୍ଧାରିତ ୨୪ ମାସର ନିର୍ମାଣ ଅବଧି ଏବଂ ୫ ବର୍ଷର ପରିଚାଳନା ଓ ରକ୍ଷଣାବେକ୍ଷଣ ସମୟସୀମା RFP ନିୟମାବଳୀ ଅନୁରୂପ ଅଟେ।

Leave a Reply

Your email address will not be published. Required fields are marked *