### ତାଳଚେର–ବଅଁରପାଳ ଜାତୀୟ ରାଜପଥରେ ଦୁର୍ଘଟଣା ଥମିବାର ନାଁ ନେଉନି, ଟ୍ରକ୍ ଧକ୍କାରେ ଯୁବକ ଗୁରୁତର
**ବଲ୍ହର ଛକରେ ଦୁର୍ଘଟଣା, ମେଡିକାଲରେ ଭର୍ତ୍ତି ଆହତ ଅଜିତ ଦାସ; ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ**
**ତାଳଚେର:** ତାଳଚେର–ବଅଁରପାଳ ଜାତୀୟ ରାଜପଥ ନମ୍ବର ୧୪୯ ଏବେ ଦୁର୍ଘଟଣାପ୍ରବଣ ରାସ୍ତାରେ ପରିଣତ ହୋଇଛି। ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନିର ଆଶଙ୍କା ବଢ଼ୁଥିବା ବେଳେ ସୋମବାର ପୁଣି ଏକ ଦୁର୍ଘଟଣା ଘଟିଛି। ବଲ୍ହର ଛକ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।
ଆହତ ଯୁବକ ଜଣକ ତାଳଚେର ଟାଉନ୍ର ବଡ଼ଦାଣ୍ଡସାହି ଅଞ୍ଚଳର ଅଜିତ ଦାସ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ତାଳଚେର–ବଅଁରପାଳ ଜାତୀୟ ରାଜପଥରେ ଭାରୀଯାନ ଚଳାଚଳ, ଅନିୟନ୍ତ୍ରିତ ଗାଡ଼ି ଗତି ଏବଂ ରାସ୍ତାର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଦୀର୍ଘଦିନ ହେଲା ଅଞ୍ଚଳବାସୀ ଅଭିଯୋଗ କରିଆସୁଛନ୍ତି। ବିଶେଷକରି ଏହି ରାସ୍ତାରେ ଭାରୀଯାନ ଚଳାଚଳ ଯୋଗୁଁ ସାଧାରଣ ଯାତ୍ରୀ ଓ ଦୁଇଚକିଆ ଯାନ ଚାଳକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।
ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକରେ ଟ୍ରାଫିକ୍ ନିୟନ୍ତ୍ରଣ, ଗତିସୀମା କଡ଼ାକଡ଼ି ଲାଗୁ, ସତର୍କତା ସୂଚକ ଫଳକ ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।
ଏବେ ପ୍ରଶ୍ନ ଉଠୁଛି, ଏହି ରାସ୍ତାରେ ଆଉ କେତେ ଜୀବନ ଦୁର୍ଘଟଣାର ଶିକାର ହେଲେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଚେତା ପଶିବ? ଆଉ କେତେ ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ? ଏଭଳି ପ୍ରଶ୍ନ ଏବେ ତାଳଚେରବାସୀଙ୍କ ମନରେ ଉଙ୍କି ମାରୁଛି।
