Spread the love

ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୋଳ ୨୬/୧ :- ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ଆଜି ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ପଡିଆ ଠାରେ ପାଳନ ହୋଇଯାଇଛି । ଏହି ସମାରୋହରେ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିରିକୃତ ମୁଖ୍ୟଅତିଥି ଭାବେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ଯୋଗ ଦେଇ ସକାଳ ୯ ଘଟିକା ୧୫ ମିନିଟ ସମୟରେ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡର ସମୟରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଜାତୀୟ ଊତ୍ସବରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଉପସ୍ଥିତ ଥିଲେ। ଏହି ସମ୍ମିଳିତ ପରେଡରେ ରିଜର୍ଭ ଇନିସ୍ପେକ୍ଟର ଶ୍ରୀ ଗୋବିନ୍ଦ ମାହାରିଙ୍କ ନେତୃତ୍ବରେ ମୋଟ ୩୪ ଗୋଟି ପ୍ଲାଟୁନ୍ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ଅନୁଗୋଳର ସମସ୍ତ ଜନସାଧାରଣଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଛା ଜଣାଇଥିଲେ । ସେ କହିଥିଲେ ଆଜିକୁ ୭୫ ବର୍ଷ ପୂର୍ବରୁ ଗଣତନ୍ତ୍ରର ଯେଉଁ ଚାରା ଭାରତ ବର୍ଷରେ ରୋପଣ ହୋଇଥିଲା, ତାହା ଆଜି ମହାଦ୍ରୁମରେ ପରିଣତ ହୋଇ ପ୍ରତ୍ୟେକ ଭାରତୀୟଙ୍କୁ ଛାୟା ପ୍ରଦାନ କରୁଛି । ଗଣତନ୍ତ୍ର ହେଉଛି ଜନ ରାଜ୍ୟର ଏକ ବ୍ୟବସ୍ଥା । ଆଇନ୍‌ର ଶାସନ, ମୌଳିକ ଅଧିକାର ଅକ୍ଷୁଣ୍ଣ ରଖିବା, ସ୍ବାଧୀନ ମତପୋଷଣ କରିବା ତଥା ଭାଗିଦାରୀ ପରମ୍ପରା ଉପରେ ଭାରତର ଗଣତନ୍ତ୍ର ପର୍ଯ୍ୟବେଷିତ । ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଆଇନ୍‌ର ନିକିତିରେ ସମାନ ଭାବେ ତଉଲେଇବାର ମନ୍ତ୍ର ହେଉଛି ଗଣତନ୍ତ୍ର । ଆଜି ଯଦି ସମ୍ବାଦ ପରିବେଷଣରେ ଅଭିବ୍ୟକ୍ତିର ସ୍ବାଧୀନତା ଅଛି, ତାହେଲେ ଆମେ ଋଣୀ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପାଖରେ, ଅସ୍ପୃଶ୍ୟତାକୁ ମୁଳୋତ୍ପାଟନ କରିବା ହେଉ କି ସାଂପ୍ରଦାୟିକ ସଦଭାବ ଓ ଜାତୀୟ ସଂହତିର ଧ୍ବଜାକୁ ଫରଫର ଉଡେଇବା ହେଉ, ପାରଦର୍ଶୀ ପ୍ରଶାସନିକ କଳ ହେଉ ବା ଗଣତାନ୍ତ୍ରିକ ଅନୁଷ୍ଠାନ ମାନଙ୍କର ସ୍ବାତନ୍ତ୍ର୍ୟ ଉଜ୍ଜୀବିତ ରଖିବା ହେଉ, ସେଇ ସମ୍ବିଧାନର ସୁବର୍ଣ୍ଣ ପୃଷ୍ଠା ମାନଙ୍କରେ ଲିଖିତ ଶଦ୍ଦମାନ ଜନ ରାଜ୍ୟର ଭୂଜାଗୁଡିକୁ ସୁଦୃଢ କରେ, ପରିପୁର୍ଣ୍ଣ କରେ ବୋଲି ମୁଖ୍ୟ ଅତିଥି କହିଥିଲେ । ଅନୁଗୋଳ ବି ସ୍ବାଧୀନତା ସଂଗ୍ରାମ ଓ ଗଣତନ୍ତ୍ର ସ୍ଥାପନ କରିବାରେ ଏକ ଉଜ୍ଜଳ ତାରକା ଭଳି ଜାଜ୍ବଲମାନ । ଅନୁଗୋଳ ମାଟିର ରାଜା ସୋମନାଥ ସିଂହ ପ୍ରବଳ ପ୍ରତାପୀ ବ୍ରିଟିଶ ଶାସନ ବିରୋଧରେ ଆଜୀବନ ସଂଗ୍ରମ କରି ପ୍ରାଣ ହରାଇଥିଲେ । ଏଇ ମାଟି ମହାନ ଗାନ୍ଧିବାଦୀ ତଥା ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କୁ ଅଂଚଳ ଶାସନ ଆଇନ୍‌ର ପ୍ରଣେତା ବନେଇ ଗ୍ରାମ ସ୍ବରାଜର ପ୍ରକୃତ ମୁଳଦୁଆ ସ୍ଥାପନ କରିଥିଲା । ଭୂଦାନ ଆନ୍ଦୋଳନକୁ ପୁରପଲ୍ଲୀରେ ପହଞ୍ଚାଇ ଜମିଦାରୀ ଶାସନର କ୍ରୂର ଅଧ୍ୟାୟରେ ପୂର୍ଣ୍ଣଛେଦ ପକାଇବାରେ ଅନୁଗୋଳର ଅବଦାନ ଅନନ୍ୟ । ଏଇ ମାଟିର ସୁପୁତ୍ର ପବିତ୍ର ମୋହନ ପ୍ରଧାନ ପ୍ରଜାମଣ୍ଡଳ ଆନ୍ଦୋଳନର ଚେତନା ସମସ୍ତ ନାଗରିକଙ୍କ ହୃଦୟରେ ଉଦ୍ରେକ କରି ବେଠି-ବେଗାରୀ-ଦାସତ୍ବର ଶୃଙ୍ଖଳ ବିରୋଧରେ ସଶକ୍ତ ହାତୁଡ଼ି ପ୍ରହାର କରିଥିଲେ। ବାଜି ରାଉତ ଛାତ୍ରାବାସ ଅହିଂସାର ପୁଣ୍ୟ କୁଟୀର ଭଳି ଆମକୁ ପ୍ରେରଣା ଓ ଊର୍ଜା ପ୍ରଦାନ କରିଥାଏ ବୋଲି ସେ କହିଥିଲେ । ଗଣତନ୍ତ୍ର ଏକ ମୁଲ୍ୟବୋଧ । ମାନବବାଦ ସଂସ୍ଥାପନ କରିବାର ଏକ ପ୍ରମୁଖ ଅସ୍ତ୍ର । ଏହା ଜାତୀୟତାବାଦରେ ଶକ୍ତ କରିବା ସହ ଏକ ଶେଷଣମୁକ୍ତ ସମାଜ ଗଠନ ଏବଂ ବସୁଧୈବ କୁଟୁମ୍ବକମ୍ ଆଦର୍ଶକୁ ମଧ୍ୟ ଗତିଶୀଳ କରେ । ଏହାର ସୁରକ୍ଷା କରିବା, ସମ୍ବିଧାନର ସୁରକ୍ଷା କରିବା, ପ୍ରତ୍ୟେକ ନାଗରିକର କର୍ଭବ୍ୟ । ଏହି ପବିତ୍ର ଦିବସରେ ଏକ ବିଦ୍ବେଷହୀନ, କ୍ଷୁଧାମୁକ୍ତ, ବିକାଶଯୁକ୍ତ, ଶୋଷଣମୁକ୍ତ ସମଷ୍ପର୍ଷି ଯୋଜନାଯୁକ୍ତ ଏକ ମହାନ ଗଣତନ୍ତ୍ରର ଦାୟଦ ହିସାବରେ ନିଜର ଯୋଗଦାନ ବି ଗୁଣ୍ଡୁଚି ମୂଷା ଭଳି ହେବା ଏବଂ ସମ୍ବିଧାନର ଧର୍ମ ପୁସ୍ତକକୁ ଜନରାଜ୍ୟର ମନ୍ଦିରରେ ପ୍ରତିଦିନ ପ୍ରଣାମ କରିବା ନିମନ୍ତେ ସେ ଆହ୍ବାନ ଦେଇଥିଲେ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତ ଦାନ ଶିବିର ଊଦଘାଟନ କରିଥିଲେ ଓ ରୋଗୀମାନଂକୁ ଫଳ ବଣ୍ଟନ କରିଥିଲେ । ପରେ ପରେ ଜେଲର ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ବାରା ଡାକବାଜୀ ଯନ୍ତ୍ର ଯୋଗେ ରାମଧୁନ ଗାନ କରାଯାଇଥିଲା । ଜିଲ୍ଲା କାର୍ଯ୍ୟାଳୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହିତ ଜାତିର ଜନକ ମହାତ୍ମାଗାନ୍ଧୀ , ଗୋପବନ୍ଧୁ ଓ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଏକକ ଅଭିନୟ ଓ କୌତୁକ ପୋଷାକ ପ୍ରତିଯୋଗିତା ବ୍ଲାକ ଡାଇମଣ୍ଡ ଠାରେ ଏବଂ ସଂଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀମାନଂକ ଦ୍ବାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ହେମନ୍ତ କୁମାର ସିଂହ,ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି, ପିଟିସି ଉପାଧ୍ୟକ୍ଷ ଏସ୍ କେ ସାରଫୁଦ୍ଦିନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ରାୟଗୁର, ଆଇଏ ଏସ୍ ପ୍ରୋବେସନରୀ ତେଜସ୍ବିନୀ ବେହେରା, ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରା, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ରମାକାନ୍ତ ମହାଳିକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ବେଛାସେବୀ, ବୁଦ୍ଧିଜୀବି, ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *