ପିଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଅନ୍ତର୍ଜାତୀୟ ଓଜୋନ ସ୍ତର ସଂରକ୍ଷଣକୁ ଗୁରୁତ୍ବ

ବରଗଡ:୨୩/୯(ପବିତ୍ର ମେହେର):: ଓଜୋନ୍ ସ୍ତର ସଂରକ୍ଷଣ ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ, ଭୁକ୍ତାରେ ଅନ୍ତର୍ଜାତୀୟ ଓଜୋନ ସ୍ତର ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଚେତନତା ବୈଠକରେ ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଚଳିତ ବର୍ଷ ଓଜୋନ୍ ଦିବସର ପ୍ରସଙ୍ଗ “ଏକ ଶୀତଳ ଗ୍ରହ ପାଇଁ ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ”ଉପରେ ଆଲୋକପାତ କରି କହିଥିଲେ ଯେ, ଭୂପୃଷ୍ଠରେ ଓଜୋନ୍ ଏକ ବିଷାକ୍ତ ଗ୍ୟାସ ହୋଇଥିବା ବେଳେ ଉର୍ଦ୍ଧ୍ବ ବାୟୁମଣ୍ଡଳରେ ଏହା ଆମ ପାଇଁ ଆଶୀର୍ବାଦ ସଦୃଶ। ଓଜୋନ୍ ସ୍ତର କ୍ଷୟ ହେବା ଫଳରେ ସୂର୍ଯ୍ୟଙ୍କର ମାରାତ୍ମକ ଅତିବାଇଗଣୀ ରଶ୍ମି ସିଧାସଳଖ ପୃଥିବୀରେ ପଡ଼ିବା ଦ୍ୱାରା ଚର୍ମ କର୍କଟ ଏବଂ ଆଖିରେ ମୋତିଆବିନ୍ଦୁ ଭଳି ବ୍ୟାଧି ସୃଷ୍ଟି ହେଉଛି। ତେଣୁ ଏହି ସ୍ତରର ରକ୍ଷା ପାଇଁ ସମସ୍ତ ଜନସାଧାରଣ ନିଜ ସ୍ତରରେ ଯଥାସାଧ୍ୟ ଉଦ୍ୟମ କରିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଗୌରୀ ଦୁଆନ ଏବଂ ସଦସ୍ୟା ଯାଜ୍ଞସେନୀ ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ଉତ୍ସାହିତ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ବିଜିତା ସାହୁ ପ୍ରଥମ, ନିର୍ଭୟ ସା ଦ୍ୱିତୀୟ ଏବଂ ଖୁସି ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଇକୋ କ୍ଲବ, ବିଜ୍ଞାନ କ୍ଲବର ସଦସ୍ୟଙ୍କ ସମେତ ଶିକ୍ଷକ ଆଶୁତୋଷ ଭୋଇ, ପ୍ରଶାନ୍ତ ମହାପାତ୍ର, ଚନ୍ଦ୍ରିକା ଦାଶ ଏବଂ ଶିକ୍ଷୟିତ୍ରୀ ଲକ୍ଷ୍ମୀବତୀ ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ରୋଜାଲିନ୍ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

