ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଉପଲକ୍ଷେ ସପ୍ତଦଶ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ

ଅନୁଗୋଳ, ୧୮.୦୯ : ସ୍ଥାନୀୟ ନାଲ୍କୋନଗରଠାରେ ୧୭ତମ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଗତକାଲି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ଓରମାସ (ORMAS) ର ମିଳିତ ସହଯୋଗରେ ଆୟୋଜିତ ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଆଠ ଦିନ ବ୍ୟାପୀ ଚାଲିବ। ଗ୍ରାମାଞ୍ଚଳର ଗରିବ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ (SHG), ଉତ୍ପାଦକ କମ୍ପାନୀ ଓ ଚାଷୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଏବଂ ସେଗୁଡ଼ିକର ବଜାର ଚାହିଦା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆୟୋଜିତ ଏହି ମେଳାରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ଚଳିତ ବର୍ଷ ଏହି ମେଳାରେ ମୋଟ ୨୨୦ଟି ସାଧାରଣ ଷ୍ଟଲ୍ ଏବଂ ୧୪ଟି ବିଶେଷ ଖାଦ୍ୟ ଷ୍ଟଲ୍ର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ରାଜ୍ୟର ୩୦ଟି ଜିଲ୍ଲା ସମେତ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆସାମ, ଦିଲ୍ଲୀ, ମଣିପୁର, ତାମିଲନାଡୁ ଆଦି ରାଜ୍ୟର କାରିଗରମାନେ ଅଂଶଗ୍ରହଣ କରିଛନ୍ତି। ଏହା ସହିତ ଜିଲ୍ଲା ଶିଳ୍ପ ବିଭାଗ, ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ, ହସ୍ତଶିଳ୍ପ ବିକାଶ କମିଶନର ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମଧ୍ୟ ଷ୍ଟଲ୍ ପ୍ରଦର୍ଶିତ ହୋଇଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ସନ୍ଧ୍ୟାରେ ସଂସ୍କୃତି ବିଭାଗର ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସେଲଫି ପଏଣ୍ଟର ବ୍ୟବସ୍ଥା କରାଯାଇଥିବା ବେଳେ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ହୁଇଲ୍ ଚେୟାର୍, ସ୍ୱଚ୍ଛ ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏହି ମେଳା ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଦଘାଟନୀ ଦିବସରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ମାନ୍ୟବର ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡ଼ନାୟକ, ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଳ ଜୈନଙ୍କ ସମେତ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।





