୧୪୯ ନଂ ଜାତୀୟ ରାଜପଥ ବଅଁରପାଲ ଗୋତମରା ନିକଟରେ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ରାସ୍ତାରୋକ
ବଅଁରପାଲ: ଅନୁଗୋଳ ଜିଲ୍ଲା ବଅଁରପାଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ବ୍ରହ୍ମାୟଣୀ ହୋଟେଲ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ପ୍ରାଣହାନି ଘଟିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଜଣେ ସାଇକେଲ ଆରୋହୀ ରାସ୍ତା ଦେଇ ଯାଉଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଭାରୀଯାନ (ଟ୍ରକ୍) ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ସମ୍ପୃକ୍ତ ରାସ୍ତାରେ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଦାବି କରି ରାଜପଥ ଅବରୋଧ କରିଛନ୍ତି। ରାସ୍ତାରୋକ ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି।



