Spread the love

ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ।


​ଅନୁଗୋଳ, ତା. ୦୨.୧୦:- ସତ୍ୟ ଓ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ଓ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜନ୍ମ ଜୟନ୍ତୀ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଗୋଳର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜନ ପ୍ରତିନିଧି, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବୁଦ୍ଧିଜୀବୀ ପ୍ରମୁଖ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।

ସ୍ଵଚ୍ଛତା ଓ ସେବାର ପ୍ରତୀକ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅବସରପ୍ରାପ୍ତ ସଭାପତି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ, ଡ. ଧରଣୀଧର ନାଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତି ଆଦର୍ଶର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. କୁଳମଣୀ ନାୟକ ଓ ବାଜିରାଉତ ଛାତ୍ରାବାସର ଛାତ୍ରମାନେ ଗୀତା ପାଠ କରିଥିବାବେଳେ ରେଭରେଣ୍ଡ ଯୋଶିୟୁ କାଣ୍ଡରୀ ବାଇବେଲ ପାଠ କରିଥିଲେ । ମୌଲାନା ମହମ୍ମଦ ଲିୟାକତ କୋରାନ ପାଠ କରିଥିଲେ । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରତ୍ୟୁଷରେ ସହରରେ ରାମଧୂନ ରେକର୍ଡ ବଜାଯାଇ ସହର ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଵେଚ୍ଛାସେବୀ, ବୁଦ୍ଧିଜୀବୀ, ଗାନ୍ଧୀପ୍ରେମୀ, ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ସନମ୍ ସ୍ନିଗ୍ଧା ସାହୁ ପରିଚାଳନା କରିଥିବାବେଳେ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *