୫ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ଯାଞ୍ଚ କରିବେ ଡେପୁଟି ନିର୍ବାଚନ କମିସନର
ଇଭିଏମ୍-ଭିଭିପାଟ୍ର ପ୍ରାଥମିକ ଯାଞ୍ଚ ଆରମ୍ଭ
ନୂଆଦିଲ୍ଲୀ: ୨୦୨୭ରେ ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ କମିସନଙ୍କ ପ୍ରସ୍ତୁତି ଜୋରଦାର ହୋଇଛି। ନିର୍ବାଚନୀ ପ୍ରସ୍ତୁତିର ସ୍ଥିତି ପରଖିବା ପାଇଁ ଡେପୁଟି ନିର୍ବାଚନ କମିସନରଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ଚଳିତ ସପ୍ତାହରୁ ବିଭିନ୍ନ ରାଜ୍ୟ ଗସ୍ତ କରିବେ।
ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଟିମ୍ ଗୋଆ ଗସ୍ତ କରିବ। ଏହାପରେ ଉତ୍ତରାଖଣ୍ଡ, ପଞ୍ଜାବ ଓ ମଣିପୁରରେ ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା କରାଯିବ। ଉତ୍ତରପ୍ରଦେଶ ଗସ୍ତର ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ଜଣାପଡ଼ିଛି।
୨୦୨୭ରେ ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ। ତେଣୁ ଭୋଟର ତାଲିକା, ନିର୍ବାଚନୀ ଭିତ୍ତିଭୂମି, ସୁରକ୍ଷା ବ୍ୟବସ୍ଥା ଓ ଭୋଟିଂ ମେସିନ୍ ସମ୍ପର୍କିତ ପ୍ରସ୍ତୁତି ଉପରେ କମିସନ ଗୁରୁତ୍ୱ ଦେଉଛନ୍ତି।
ଏହି ମଧ୍ୟରେ ଉତ୍ତରପ୍ରଦେଶ ଓ ଗୋଆରେ ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ର ପ୍ରାଥମିକ ଯାଞ୍ଚ (FLC) ଆରମ୍ଭ ହୋଇଛି। ଯାଞ୍ଚ ସମୟରେ ଅଧିକୃତ ଇଞ୍ଜିନିୟରମାନେ ମେସିନ୍ଗୁଡ଼ିକର ବୈଷୟିକ ସ୍ଥିତି ପରୀକ୍ଷା କରୁଛନ୍ତି। ତ୍ରୁଟି ଚିହ୍ନଟ ହେଲେ ସେଗୁଡ଼ିକୁ ମରାମତି କିମ୍ବା ପ୍ରତିସ୍ଥାପନ ପାଇଁ ନିର୍ମାତାଙ୍କ ନିକଟକୁ ପଠାଯାଉଛି।
ଏହା ସହିତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ଉପସ୍ଥିତିରେ ମକ୍ ପୋଲ୍ କରାଯାଇ ଇଭିଏମ୍ ଓ ଭିଭିପାଟ୍ର କାର୍ଯ୍ୟକ୍ଷମତା ଯାଞ୍ଚ କରାଯାଉଛି। ନିର୍ବାଚନ ପୂର୍ବରୁ ମେସିନ୍ଗୁଡ଼ିକର ଯାଞ୍ଚ ଓ ପ୍ରସ୍ତୁତି ପ୍ରକ୍ରିୟାକୁ ନେଇ ଏହି ପଦକ୍ଷେପ ଗୁରୁତ୍ୱ ବହନ କରୁଛି।
