Spread the love

RBIର ବଡ଼ ନିଷ୍ପତ୍ତି: ୨୫ ବେସିସ୍ ପଏଣ୍ଟ ବଢ଼ିଲା ରେପୋ ରେଟ୍, ମହଙ୍ଗା ହୋଇପାରେ ଋଣ

ନୂଆଦିଲ୍ଲୀ: ଋଣ ନେଇଥିବା ଲୋକଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ବ୍ୟାଜ ହାରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବଡ଼ ନିଷ୍ପତ୍ତି ନେଇଛି। ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି (MPC) ବୈଠକ ପରେ ରେପୋ ରେଟ୍‌ରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ଘୋଷଣା କରାଯାଇଛି।

RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଘୋଷଣା ଅନୁସାରେ, ରେପୋ ରେଟ୍ ୫.୨୫ ପ୍ରତିଶତରୁ ବୃଦ୍ଧି ପାଇ ୫.୫୦ ପ୍ରତିଶତରେ ପହଞ୍ଚିଛି। ପ୍ରାୟ ଚାରି ବର୍ଷ ପରେ ରେପୋ ରେଟ୍ ବୃଦ୍ଧି କରାଯାଇଥିବାରୁ ଏହାର ପ୍ରଭାବ ବ୍ୟାଙ୍କ ଋଣ ଏବଂ ଇଏମଆଇ ଉପରେ ପଡ଼ିବାର ଆଶଙ୍କା ରହିଛି।

ବଢ଼ିପାରେ EMI

ରେପୋ ରେଟ୍ ବୃଦ୍ଧି ହେଲେ ବ୍ୟାଙ୍କଗୁଡ଼ିକର ଋଣ ନେବା ଖର୍ଚ୍ଚ ବଢ଼ିପାରେ। ଏହାର ପ୍ରଭାବ ଘର, ଗାଡ଼ି ଓ ଅନ୍ୟାନ୍ୟ ଫ୍ଲୋଟିଂ ରେଟ୍ ଋଣ ଉପରେ ପଡ଼ିବା ସମ୍ଭାବନା ରହିଛି। ଫଳରେ ଆଗାମୀ ଦିନରେ କିଛି ଋଣଗ୍ରାହୀଙ୍କ ମାସିକ EMI ବଢ଼ିପାରେ।

କାହିଁକି ବଢ଼ିଲା ରେପୋ ରେଟ୍?

ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଭାରତୀୟ ଅର୍ଥନୀତି ପାଇଁ ଚିନ୍ତା ବଢ଼ାଇଛି। କ୍ରୁଡ୍ ଅଏଲ୍ ମହଙ୍ଗା ହେଲେ ଦେଶର ଆମଦାନି ଖର୍ଚ୍ଚ ବଢ଼ିବା ସହ ମୁଦ୍ରାସ୍ଫୀତି ଉପରେ ମଧ୍ୟ ଚାପ ସୃଷ୍ଟି ହୋଇପାରେ।

ଏହା ସହିତ ଦେଶର ଚାଲୁ ଖାତା ନିଅଣ୍ଟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଭଳି ଆର୍ଥିକ ଚାପ ମଧ୍ୟରେ RBIର ରେପୋ ରେଟ୍ ବୃଦ୍ଧିକୁ ବେଶ୍ ଗୁରୁତ୍ୱ ଦିଆଯାଉଛି।

ଶେଷ ଥର ପାଇଁ ୨୦୨୩ ଫେବୃଆରୀରେ RBI ରେପୋ ରେଟ୍ ବଢ଼ାଇଥିଲା। ବର୍ତ୍ତମାନର ବୃଦ୍ଧି ପରେ ଋଣ ନେଇଥିବା ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପଡ଼ିବ କି ନାହିଁ, ତାହା ବ୍ୟାଙ୍କଗୁଡ଼ିକର ପରବର୍ତ୍ତୀ ସୁଧ ହାର ନିଷ୍ପତ୍ତି ଉପରେ ନିର୍ଭର କରିବ।

Leave a Reply

Your email address will not be published. Required fields are marked *