Spread the love

*ଅନୁଗୋଳ ଓ ଢେଙ୍କାନାଳରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ୯ମ “ରାଷ୍ଟ୍ରୀୟ ପୋଷଣ ମାସ ‘ ପାଳିତ*

ଅନୁଗୋଳ, ୦୮/୧୦/୨୦୨୬: ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ନୂଆହତା ପଞ୍ଚାୟତ ଏବଂ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ମଙ୍ଗଳପୁର, ବଳରାମପୁର, ସିମିନଇ, ନାଧରା ଓ କଳଙ୍ଗା ପଞ୍ଚାୟତରେ ନବମ “ରାଷ୍ଟ୍ରୀୟ ପୋଷଣ ମାସ ‘ ପାଳିତ ହୋଇଯାଇଛି। “ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ’ ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାତୃ, ଶିଶୁ ଓ କିଶୋରୀମାନଙ୍କ ପୋଷଣରେ ସମୁଦାୟର ଭାଗିଦାରୀ ଓ ଦାୟିତ୍ୱବୋଧକୁ ସୁଦୃଢ଼ କରିବା।

ଏହି ଅଭିଯାନରେ ପ୍ରାୟ ୫୪୦ ଜଣ ଗର୍ଭବତୀ, ପ୍ରସୂତି ମହିଳା, ପ୍ରଜନନ ବୟସର ମହିଳା ଏବଂ କିଶୋରୀ ଅଂଶଗ୍ରହଣ କରିଥିଲେ। ବିଶେଷ କରି କଳଙ୍ଗା ପଞ୍ଚାୟତର ଜୁଆଙ୍ଗ ସମ୍ପ୍ରଦାୟର ଲୋକଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପୋଷଣ, ସ୍ୱାସ୍ଥ୍ୟସେବା ଏବଂ ପ୍ରାରମ୍ଭିକ ଶିଶୁ ବିକାଶ ସମ୍ପର୍କରେ ସଚେତନ କରାଯାଇଥିଲା।

ଏହି ଅବସରରେ ଖାଦ୍ୟ ବିବିଧତା, ସଠିକ୍ ପୋଷଣ, ସ୍ତନ୍ୟପାନ ଓ ପ୍ରଥମ ୧୦୦୦ ଦିନ’ର ଗୁରୁତ୍ୱ, ପ୍ରାରମ୍ଭିକ ଯତ୍ନ, ଠିକ୍ ସମୟରେ ଟିକାକରଣ ଏବଂ ସ୍ୱଚ୍ଛତା ଉପରେ ଆଲୋଚନା କରାଯାଇଥିଲା। ଏଥିସହିତ ଗୁରୁତର ଅପପୁଷ୍ଟି ଓ ମଧ୍ୟମ ଧରଣର ଅପପୁଷ୍ଟିର ନିରାକରଣ ଓ ଆରୋଗ୍ୟ ସହ ସମୟୋପଯୋଗୀ ସ୍ଥାନାନ୍ତରଣ ଏବଂ ଆବଶ୍ୟକ ସ୍ୱାସ୍ଥ୍ୟସେବାର ଉପଯୋଗିତା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା।

ଏହାସହିତ “ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ ଭଳି ସରକାରୀ ଯୋଜନା ବିଷୟରେ ସଚେତନ ସୃଷ୍ଟି କରାଯାଇଥିଲା। ଅପପୁଷ୍ଟି ନିରାକରଣ ଓ ନ୍ୟୁଟ୍ରିସନ ରିହାବିଲେସନ ସେଣ୍ଟର (ଏନ୍‌ଆର୍‌ସି) ସେବାର ଉପଯୋଗିତାକୁ ନେଇ ଏକ ନାଟକ ପରିବେଷଣ କରାଯାଇଥିଲା।

ଏହାସହ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ପନିପରିବା, ଫଳ, କ୍ଷୀର ଜାତୀୟ ଦ୍ରବ୍ୟ ଓ ଅଣ୍ଡାକୁ ନେଇ “ପୋଷଣ ପ୍ରଦର୍ଶନୀ’ ସହ ଫୋକସ୍ ଥିମ୍ ଉପରେ କୁଇଜ୍ ଓ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ କଳଙ୍ଗାର ଭାରପ୍ରାପ୍ତ ମଲ୍ଟି ପର୍ପସ ହେଲଥ୍ ସୁପରଭାଇଜର ସନ୍ତୋଷ କୁମାର ମହାରଣା, କଳଙ୍ଗାର ମଲ୍ଟି ପର୍ପସ ହେଲଥ୍ ୱାର୍କର ମାତୃପ୍ରସାଦ ମହାପାତ୍ର, ଏଏନ୍‌ଏମ୍‌, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଏବଂ ଗ୍ରାମସଭା ମୁଖ୍ୟମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *