ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି (ଆର୍.ପି.ଡି.ଏ.ସି.) ବୈଠକ:
ବିସ୍ଥାପିତଙ୍କୁ ଉଚିତ୍ କ୍ଷତିପୂରଣ, ସ୍ଥାୟୀ ନିଯୁକ୍ତି ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ଵ।

ଅନୁଗୋଳ, ତା. ୦୮.୧୦:
ଜିଲ୍ଲାର ପ୍ରମୁଖ କମ୍ପାନୀ କେ.ପି.ସି.ଏଲ୍. (ମନ୍ଦାକିନୀ-ଏ), ଜି.ଏମ୍.ଟି.ସି. (ବୈତରଣୀ-ୱେଷ୍ଟ), ନାଲ୍କୋ (ଉତ୍କଳ-ଇ) ଏବଂ ନାଲ୍କୋ (ବ୍ରାଉନ୍ଫିଲ୍ଡ ଏକ୍ସପାନ୍ସନ୍) ର ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା, ଜମି ଅଧିଗ୍ରହଣ, ବିସ୍ଥାପିତଙ୍କୁ ଉଚିତ୍ କ୍ଷତିପୂରଣ, ଥଇଥାନ ଓ ରିହାବିଲିଟେସନ୍ କଲୋନୀ ଗୁଡ଼ିକର ସୁପରିଚାଳନା ସମ୍ପର୍କରେ ଗୁରୁତ୍ଵାରୋପ କରିଥିଲେ। ପବ୍ଲିକ୍ ସ୍କୁଲ ସହ ସ୍କିଲ୍ ସେଣ୍ଟର ଏବଂ ନର୍ସିଂ କଲେଜ ନିମନ୍ତେ କମ୍ପାନୀଗୁଡ଼ିକୁ ବିଶେଷ ଧ୍ୟାନ ଦେବାକୁ ବୈଠକରେ ସ୍ଥିର କରାଯାଇଥିଲା।
ଖଣି ପ୍ରକଳ୍ପ ଦ୍ଵାରା କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଉଚିତ୍ ପୁନର୍ବାସ, କ୍ଷତିପୂରଣ, ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଆନୁଷଙ୍ଗିକ ଶିକ୍ଷା, ସ୍ୱାସ୍ଥ୍ୟ ତଥା ପରିବେଶ ସୁରକ୍ଷା ନିମନ୍ତେ ବୈଠକରେ ରାଜସ୍ୱ କମିଶନର ନିର୍ଦ୍ଦେଶ ଦେଇଥିଲେ। ନୂତନ ଜମି ଅଧିଗ୍ରହଣ ନିୟମ ଅନୁସାରେ ପ୍ରକଳ୍ପ ବିସ୍ଥାପିତ ପରିବାର, କ୍ଷତିଗ୍ରସ୍ତ ଓ ସମ୍ପ୍ରସାରିତ ପ୍ରକଳ୍ପ ପ୍ରଭାବିତ ପରିବାରଙ୍କୁ ଉଚିତ୍ ସୁବିଧା ଓ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ସବ୍-କମିଟି ବୈଠକ ଓ ସର୍ଭେ କରାଯାଇ ସ୍ଥାନୀୟ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତର ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ। ବୈଠକରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣୀ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଉତ୍ତର କେନ୍ଦ୍ରାଞ୍ଚଳ ଡି.ଆଇ.ଜି. ଶ୍ରୀ ଆଶିଷ କୁମାର ସିଂହ, ଆଇ.ଏ.ଏସ୍. ପ୍ରୋବେସନର ଅଭି ଜୈନ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପାଳ ଶ୍ରୀ ପ୍ରଜ୍ଞାନନ୍ଦନ ଗିରି, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିସ୍ଥାପିତ ପରିବାରଙ୍କ ପ୍ରତିନିଧି, ବିଭାଗୀୟ ଅଧିକାରୀ ଏବଂ କମ୍ପାନୀ କର୍ତ୍ତୃପକ୍ଷ ପ୍ରମୁଖ ଯୋଗ ଦେଇଥିଲେ।

