Spread the love

 

“ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ” (Supply of Free Textbooks) ଯୋଜନା ଅଧୀନରେ ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବ୍ୟତୀତ) ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଦେବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି।

ଏହି “ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ” ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବ୍ୟତୀତ) ମାଗଣାରେ ବହି ଯୋଗାଇବା—ଯାହାଦ୍ୱାରା ଗୁଣାତ୍ମକ ଶିକ୍ଷା ପାଇବାରେ ସମାନ ସୁଯୋଗ ସୁନିଶ୍ଚିତ ହୋଇପାରିବ, ଆର୍ଥିକ ଦୁର୍ବଳ ପରିବାରଗୁଡ଼ିକ ଉପରୁ ଆର୍ଥିକ ବୋଝ ହ୍ରାସ ପାଇବ, ସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା ବୃଦ୍ଧି ପାଇବ, ପାଠପଢ଼ା ଛାଡ଼ିବା (ଡ୍ରପ୍‌-ଆଉଟ୍‌) ହାର ହ୍ରାସ ପାଇବ ଏବଂ ପ୍ରାଥମିକରୁ ମାଧ୍ୟମିକ ଶିକ୍ଷାକୁ ଛାତ୍ରଛାତ୍ରୀଙ୍କ ଉତ୍ତରଣ ହାର ବୃଦ୍ଧି ପାଇପାରିବ।

ଏହି ଯୋଜନାଟି ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିରେ ଆନୁମାନିକ ୨୮.୭୦ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସର୍ବମୋଟ ୨୮୪.୦୭ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ କରାଯାଇଛି।

କାଗଜ କ୍ରୟ, ପାଠ୍ୟପୁସ୍ତକ ମୁଦ୍ରଣ, ପରିବହନ ଏବଂ ବଣ୍ଟନ ପ୍ରକ୍ରିୟାକୁ ଓଡ଼ିଶା ସାଧାରଣ ଆର୍ଥିକ ନିୟମାବଳୀ (OGFR), ପ୍ରଯୁଜ୍ୟ କ୍ରୟ ନିର୍ଦ୍ଦେଶାବଳୀ ତଥା ସମୟାନୁକ୍ରମେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଏକ ସ୍ୱଚ୍ଛ, ପ୍ରତିଯୋଗିତାମୂଳକ ଏବଂ ମିତବ୍ୟୟୀ ପ୍ରକ୍ରିୟାରେ କାର୍ଯ୍ୟକାରୀ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତୃଣମୂଳ ସ୍ତରରୁ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ, ଯାଞ୍ଚ ଏବଂ ବୈଧତା ନିରୂପଣ ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ଗଠନ କରିବେ। ପ୍ରତ୍ୟେକ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସମସ୍ତ ବିଦ୍ୟାଳୟକୁ ପାଠ୍ୟପୁସ୍ତକ ଛାପି ଯୋଗାଇଦେବା କାର୍ଯ୍ୟକୁ ବିଭାଗ ସୁନିଶ୍ଚିତ କରିବ।

ନଥି ସଂଖ୍ୟା: SME-SSE-SSE-0077-2025/01/2026

Leave a Reply

Your email address will not be published. Required fields are marked *