ଅନୁଗୋଳ ନୁହେଁ,କଟକର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ ଠାରୁ ୨୧.୮୮ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱରରେ ଭିଜିଲାନ୍ସର ରାତିଅଧିଆ ଚଢ଼ାଉ; ଠିକାଦାରଙ୍କଠାରୁ ଲାଞ୍ଚ ଆଦାୟ ସୂଚନା ପରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ୧୭ ଅକ୍ଟୋବର: ଲାଞ୍ଚ ଆଦାୟ ସମ୍ପର୍କିତ ସୂଚନା ଆଧାରରେ ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର ଯାଞ୍ଚ କରି ଜଣେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କଠାରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ କରିଛି। ସମ୍ପୃକ୍ତ ଅଧିକାରୀ ହେଉଛନ୍ତି କଟକ ଜଗତପୁରସ୍ଥିତ ମହାନଦୀ ଉତ୍ତର ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନଜିତ ଦାସ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ଆଦାୟ ହେଉଥିବା ନେଇ ଖବର ପାଇବା ପରେ ଗତ ବିଳମ୍ବିତ ରାତିରେ ଭୁବନେଶ୍ୱରର ଏଜି ଛକ ନିକଟରେ ତାଙ୍କୁ ଅଟକାଇଥିଲା ଭିଜିଲାନ୍ସ ଟିମ୍। ସେ ଏକ ସରକାରୀ ଭାବେ ନିଯୁକ୍ତ ବୋଲେରୋ ଗାଡ଼ିରେ ଯାତ୍ରା କରୁଥିବା ବେଳେ ତାଙ୍କ ନିକଟରୁ ହିସାବ ଦେଇପାରିନଥିବା ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ନଗଦ ଜବତ କରାଯାଇଥିଲା।
ଏହାପରେ ଆଜି ସକାଳେ ଭୁବନେଶ୍ୱରର ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିର ଫ୍ଲାଟ୍ ନମ୍ବର D-401ରେ ଥିବା ତାଙ୍କ ଭଡ଼ା ଘର ଏବଂ ବରଗଡ଼ାସ୍ଥିତ ପୈତୃକ ଘରେ ଏକକାଳୀନ ତଲାସି କରାଯାଇଥିଲା। ଭଡ଼ା ଘରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ନଗଦ ମିଳିଥିଲା।
ଏହିପରି ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାର ହିସାବ ସମ୍ପୃକ୍ତ ଅଧିକାରୀ ସନ୍ତୋଷଜନକ ଭାବେ ଦେଇପାରିନଥିବାରୁ ଟଙ୍କାକୁ ଜବତ କରାଯାଇଛି। ଅଧିକ ତଦନ୍ତ ପାଇଁ ତାଙ୍କୁ ଅଟକ ରଖାଯାଇଛି ଏବଂ ନଗଦ ଟଙ୍କାର ଉତ୍ସ ସମ୍ପର୍କରେ ପଚରାଉଚରା ଚାଲିଛି।
ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୧୬ ଅକ୍ଟୋବର ୨୦୨୬ରେ କେସ୍ ନମ୍ବର ୨୪ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୧୯୮୮ର ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଧାରା ୧୩(୨) ସହ ଧାରା ୧୩(୧)(b)ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ଭିଜିଲାନ୍ସର ପରବର୍ତ୍ତୀ ତଦନ୍ତରୁ ଟଙ୍କାର ଉତ୍ସ ଏବଂ ଘଟଣାର ଅନ୍ୟାନ୍ୟ ଦିଗ ସ୍ପଷ୍ଟ ହେବ।
