ଅନୁଗୋଳରେ ବ୍ଲକ୍ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’
ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସୁରଭି ଏକ ଉତ୍କୃଷ୍ଟ ମଞ୍ଚ
ଅନୁଗୋଳ: ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କ ମଧ୍ୟରେ ସୃଜନଶୀଳତା, ଆତ୍ମବିଶ୍ୱାସ ଓ ପ୍ରତିଯୋଗିତାର ମନୋଭାବ ସୃଷ୍ଟି କରିବା ଲକ୍ଷ୍ୟରେ ଅନୁଗୋଳ ମୁନିସିପାଲିଟି କଲେଜପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକ୍ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଉତ୍ସାହିତ କରିଥିଲେ।
ବିଦ୍ୟାଳୟ ଶିକ୍ଷା କେବଳ ପାଠପଢ଼ାରେ ସୀମିତ ନରହି ପିଲାମାନଙ୍କର ବିଭିନ୍ନ ଦକ୍ଷତା ଓ ପ୍ରତିଭାର ବିକାଶ କରିବା ଉପରେ ଗୁରୁତ୍ୱ ଦେଉଛି ‘ସୁରଭି’। ଏହି ମଞ୍ଚରେ ଛାତ୍ରଛାତ୍ରୀମାନେ ଗୀତ, ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା, କୁଇଜ୍ ସମେତ ବିଭିନ୍ନ ସାଂସ୍କୃତିକ ଓ ସୃଜନଶୀଳ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି।
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟ ଅତିଥି ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏଭଳି ଶିଶୁଭିତ୍ତିକ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ପିଲାମାନଙ୍କୁ ନିଜର ପ୍ରତିଭା ବିକାଶ ଦିଗରେ ଆଗେଇ ଆସିବାକୁ ଉତ୍ସାହିତ କରିଥିଲେ।
ଅତିଥିମାନେ କହିଥିଲେ ଯେ, ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ କରିବା ଦିଗରେ ‘ସୁରଭି’ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହା ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇବା ସହ ସହଯୋଗ, ଶୃଙ୍ଖଳା ଓ ସୃଜନଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ। ଏଥିସହ ଶିକ୍ଷାକୁ ଅଧିକ ଆନନ୍ଦମୟ ଓ ଆକର୍ଷଣୀୟ କରିବାରେ ଏଭଳି ଉତ୍ସବର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ଏହି ଅବସରରେ ଅନୁଗୋଳ ବ୍ଲକ୍ ଶିକ୍ଷା ଅଧିକାରୀ ଅଶୋକ ପ୍ରଧାନ ଉପସ୍ଥିତ ଥିବାବେଳେ ମୁଖ୍ୟବକ୍ତା ଭାବେ ଅନୁଗୋଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟାପକ ବନମାଳୀ ବାଗ ଯୋଗଦେଇଥିଲେ। କଲେଜପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଉତ୍ସାହିତ କରିଥିଲେ।
‘ସୁରଭି-୨୦୨୬’ ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେବା ସହ ସେମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।
