### କଟକରେ ଚାଞ୍ଚଲ୍ୟ: ବାଲିଯାତ୍ରା ପଡ଼ିଆ ନିକଟରୁ ୧୫ ବର୍ଷୀୟ ନାବାଳକଙ୍କ ମୃତଦେହ ଉଦ୍ଧାର
କଟକ: ଦୁର୍ଗାପୂଜାର ଉତ୍ସବ ମଧ୍ୟରେ କଟକ ସହରରେ ଖେଳିଗଲା ଚାଞ୍ଚଲ୍ୟ। ବାଲିଯାତ୍ରା ପଡ଼ିଆ ନିକଟ ମହାନଦୀ କୂଳରୁ ଜଣେ ୧୫ ବର୍ଷୀୟ ନାବାଳକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମୃତ ନାବାଳକଙ୍କ ଶରୀରରେ ଧାରୁଆ ଅସ୍ତ୍ରରେ ଆକ୍ରମଣର ଚିହ୍ନ ଥିବାରୁ ଘଟଣାକୁ ନେଇ ହତ୍ୟା ସନ୍ଦେହ ଘନୀଭୂତ ହୋଇଛି।
ମୃତ ନାବାଳକ ଜଣକ ରାଜା ବଗିଚା ଅଞ୍ଚଳର ସୁମନ୍ତ ସାହୁ ବୋଲି ଜଣାପଡ଼ିଛି। ସେ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଥିବା ସୂଚନା ମିଳିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ନାବାଳକଙ୍କ ଶରୀରରେ ଏକାଧିକ ଆଘାତ ଚିହ୍ନ ରହିଛି। ବିଶେଷକରି ବେକ ଓ କାନ୍ଧ ନିକଟରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳଠାରୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ରକ୍ତଦାଗ ଏବଂ ଗୋଟିଏ ଚପଲ ମିଳିଥିବା ସୂଚନା ମିଳିଛି। ଏହି ତଥ୍ୟ ଘଟଣାର ତଦନ୍ତକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି।
ପୋଲିସର ପ୍ରାଥମିକ ଅନୁମାନ ଅନୁସାରେ, ନାବାଳକଙ୍କୁ କୌଣସି ବାହାନାରେ ନିଛାଟିଆ ନଦୀକୂଳକୁ ଡାକି ନିଆଯାଇ ଆକ୍ରମଣ କରାଯାଇଥାଇପାରେ। ଏଥିରେ ଏକାଧିକ ବ୍ୟକ୍ତି ସାମିଲ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ତେବେ ଏହି ଘଟଣା ପଛରେ କିଏ ଏବଂ କେଉଁ କାରଣ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଖବର ପାଇ କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ପରେ କଟକ ଡିସିପି ଋଷିକେଶ ଖିଲାରୀଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତର ସମୀକ୍ଷା କରିଛନ୍ତି।
ଦୁର୍ଗାପୂଜା ଭଳି ଉତ୍ସବମୁଖର ସମୟରେ ଜଣେ ନାବାଳକଙ୍କ ଏଭଳି ମୃତ୍ୟୁ ସହରବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୋଲିସର ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବା ସହ ଦୋଷୀଙ୍କ ପରିଚୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ଜାଗ୍ରତ ଭାରତ ନ୍ୟୁଜ୍
