Spread the love

### ଫ୍ରାନ୍ସରେ ମହଙ୍ଗା ମାଡ଼ରେ ଜନଅସନ୍ତୋଷ, ହିଂସାତ୍ମକ ରୂପ ନେଲା ବିକ୍ଷୋଭ!

ପ୍ୟାରିସ: ଦରଦାମ ବୃଦ୍ଧିକୁ ନେଇ ଫ୍ରାନ୍ସରେ ତୀବ୍ର ହେଲା ଜନ ଆକ୍ରୋଶ। ଇନ୍ଧନ ମୂଲ୍ୟ ବୃଦ୍ଧି, ମହଙ୍ଗା ଶିକ୍ଷା, ବିଦ୍ୟାଳୟର ଦୁରବସ୍ଥା ଏବଂ ଶିକ୍ଷକ ନିଯୁକ୍ତି ଭଳି ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସରକାର ବିରୋଧରେ ଆନ୍ଦୋଳନ ଉଗ୍ର ରୂପ ନେଇଥିବା ଖବର ମିଳିଛି। ବିକ୍ଷୋଭରେ ୮ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିବା ଦାବି କରାଯାଇଛି। ଅନେକ ସ୍ଥାନରେ ଏହି ଆନ୍ଦୋଳନ ହିଂସାର ରୂପ ନେଇଛି।

ରାଜଧାନୀ ପ୍ୟାରିସରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏଲିଜେ ପ୍ୟାଲେସ ନିକଟରେ ପ୍ରଦର୍ଶନକାରୀମାନେ ଭଙ୍ଗାରୁଜା, ପୋଡ଼ାଜଳା ଓ ଲୁଟପାଟ କରିଥିବା ଉଲ୍ଲେଖ କରାଯାଇଛି। ଅନେକ ଗାଡ଼ିରେ ନିଆଁ ଲଗାଇବା ସହ କେତେକ ସରକାରୀ କୋଠା ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ରହିଛି। ଦୋକାନଗୁଡ଼ିକରେ ଲୁଟପାଟ ସହ କିଛି ଆପଲ୍‌ ଷ୍ଟୋରରୁ ଆଇଫୋନ୍‌ ଲୁଟ୍‌ ହୋଇଥିବା ମଧ୍ୟ ଖବର ଆସିଛି।

ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହେବାରୁ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟିଥିବା କୁହାଯାଉଛି। କେତେକ ପ୍ରଦର୍ଶନକାରୀ ବିଭିନ୍ନ ବେଶଭୂଷା ଓ ମୁଖା ପିନ୍ଧି ରାସ୍ତାକୁ ଓହ୍ଲାଇଥିବାବେଳେ ପୁଲିସ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ୍‌ ଓ ଲାଠିଚାର୍ଜର ସହାୟତା ନେଇଥିବା ଖବରରେ ଦାବି କରାଯାଇଛି। ଏହି ଘଟଣାରେ ପ୍ରାୟ ୧,୮୦୦ ଜଣ ଗିରଫ ହୋଇଥିବା ଉଲ୍ଲେଖ ରହିଛି।

ଅନ୍ୟପଟେ ଲିମୋଜ ସହରରେ ମୁଖାପିନ୍ଧା ବିକ୍ଷୋଭକାରୀମାନେ ଟାଉନ୍‌ ହଲ୍‌ରେ ନିଆଁ ଲଗାଇ ଦେଇଥିବାରୁ ୧୪୩ ବର୍ଷ ପୁରୁଣା ଏହି କୋଠାଟି ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ଦାବି କରାଯାଇଛି। ଏହା ଐତିହାସିକ ସମ୍ପତ୍ତିର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ାଇଛି।

### ଆର୍ଥିକ ସଙ୍କଟ ନା ଶିକ୍ଷା ବ୍ୟବସ୍ଥାର ଅସନ୍ତୋଷ?

ଫ୍ରାନ୍ସରେ ଦରଦାମ ବୃଦ୍ଧି ଓ ଜୀବନଯାପନ ଖର୍ଚ୍ଚକୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ଏହି ଆନ୍ଦୋଳନର ପ୍ରମୁଖ କାରଣ ବୋଲି ଦର୍ଶାଯାଉଛି। ଶିକ୍ଷା ବ୍ୟବସ୍ଥାରେ ସୁଧାର, ବିଦ୍ୟାଳୟରେ ଉନ୍ନତ ଭିତ୍ତିଭୂମି ଏବଂ ଅଧିକ ଶିକ୍ଷକ ନିଯୁକ୍ତି ଦାବି ମଧ୍ୟ ଆନ୍ଦୋଳନକୁ ତୀବ୍ର କରିଛି।

ପ୍ରାୟ ଏକ ମାସ ଧରି ବିକ୍ଷୋଭ ଜାରି ରହିଥିବା ଦାବି ମଧ୍ୟରେ ଫ୍ରାନ୍ସ ସରକାରଙ୍କ ପାଇଁ ଆଇନଶୃଙ୍ଖଳା ରକ୍ଷା ସହ ଜନସାଧାରଣଙ୍କ ଅସନ୍ତୋଷ ଦୂର କରିବା ଏକ ବଡ଼ ଆହ୍ୱାନ ହୋଇଛି।

 

Leave a Reply

Your email address will not be published. Required fields are marked *