ଟାଟା ପାୱାର ହଟାଇବା ଦାବିରେ ଢେଙ୍କାନାଳରୁ ବିଦ୍ୟୁତ ଠିକା କର୍ମଚାରୀଙ୍କ ଦଣ୍ଡ ମୁଣ୍ଡିଆ ଶୋଭାଯାତ୍ରା, ଭୁବନେଶ୍ୱର ଅଭିମୁଖେ ଯାତ୍ରା
ଢେଙ୍କାନାଳ: ଟାଟା ପାୱାରକୁ ଓଡ଼ିଶାରୁ ହଟାଇବା ଏବଂ ବିଦ୍ୟୁତ ଠିକା କର୍ମଚାରୀଙ୍କ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ଅଲ୍ ଓଡ଼ିଶା ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ। ଏହି ଦାବିରେ ଢେଙ୍କାନାଳ କଲେଜ ବାଇପାସ୍ ଠାରୁ ଦଣ୍ଡମୁଣ୍ଡିଆ ଶୋଭାଯାତ୍ରାରେ ବାହାରି ଶ୍ରମିକମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟୁତ ବିଭାଗରେ ଦୀର୍ଘ ୧୪ରୁ ୧୫ ବର୍ଷ ଧରି କାର୍ଯ୍ୟ କରିବା ପରେ ମଧ୍ୟ ଠିକା କର୍ମଚାରୀମାନେ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ, ଟାଟା ପାୱାର ଉପଭୋକ୍ତାମାନଙ୍କୁ ମଧ୍ୟ ଶୋଷଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି କମ୍ପାନୀ ମୁନାଫା ବଢ଼ାଇବାକୁ ଉଦ୍ୟମ କରୁଥିବା ଏବଂ ଏ କ୍ଷେତ୍ରରେ ସରକାର ନିରବ ରହୁଥିବା ମଧ୍ୟ ଆନ୍ଦୋଳନକାରୀମାନେ ଅଭିଯୋଗ ଉଠାଇଛନ୍ତି।
ଏନେଇ ଡିଭିଜନ ସଭାପତି ଚନ୍ଦ୍ରଶେଖର କହିଛନ୍ତି ଯେ, ଟାଟା ପାୱାର ଆସିବା ପରଠାରୁ ଉପଭୋକ୍ତା ଓ ବିଦ୍ୟୁତ କର୍ମଚାରୀ ଉଭୟେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ମାନ୍ୟବର ଶକ୍ତିମନ୍ତ୍ରୀ ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ଟାଟା ପାୱାରକୁ ଓଡ଼ିଶାରୁ ହଟାଇବାକୁ ସେ ଦାବି କରିଛନ୍ତି।
“ଟାଟା ହଟାଅ, ଓଡ଼ିଶା ବଞ୍ଚାଅ” ନାରା ଦେଇ ଆନ୍ଦୋଳନକୁ ଆଗକୁ ବଢ଼ାଇଛନ୍ତି କର୍ମଚାରୀମାନେ। ସରକାର ଯଥାଶୀଘ୍ର ସେମାନଙ୍କ ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଅଲ୍ ଓଡ଼ିଶା ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ ଚେତାବନୀ ଦେଇଛି।
