ବଅଁରପାଳରେ ରାଷ୍ଟ୍ରୀୟ ଏକତାର ବାର୍ତ୍ତା: ପୋଲିସ ପକ୍ଷରୁ ସଚେତନତା ରାଲି ଓ ଶପଥ ପାଠ
ଛାତ୍ରଛାତ୍ରୀ, ପୋଲିସ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ସାମୂହିକ ଅଂଶଗ୍ରହଣ
ବଅଁରପାଳ/ଅନୁଗୋଳ, ୩୧ ଅକ୍ଟୋବର: ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାର ବାର୍ତ୍ତା ନେଇ ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ଏହି ଅବସରରେ ବଅଁରପାଳ ଅଞ୍ଚଳରେ ଏକ ସଚେତନତା ରାଲି ଆୟୋଜିତ ହୋଇ ଦେଶପ୍ରେମ, ଜାତୀୟ ସଂହତି ଓ ସାମାଜିକ ଏକତାର ବାର୍ତ୍ତା ପ୍ରସାର କରାଯାଇଥିଲା।
ବଅଁରପାଳ ଥାନା ଆଇଆଇସି ଅୟେସ କାନ୍ତ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ଲୋଚନ ଦାସ, ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ବିଜେପି ନେତା ଗକୁଳି ଲେଙ୍କା , ବିଜେପି ଜିଲ୍ଲା ସେକ୍ରେଟାରୀ ପ୍ରତ୍ୟୁଷ ରଞ୍ଜନ ପଣ୍ଡା ଏବଂ ବିଜେପି ନେତା ଦିଲ୍ଲୀପ କୁମାର ରାଉତଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।
ଏହି ରାଲିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇଥିଲେ। ବଅଁରପାଳ ଜାତୀୟ ରାଜପଥ ଦେଇ ଆୟୋଜିତ ଏହି ସଚେତନତା ରାଲିରେ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ସହ ପ୍ରତ୍ୟେକ ନାଗରିକଙ୍କ ଜାତୀୟ କର୍ତ୍ତବ୍ୟ ପ୍ରତି ସଚେତନ ହେବାର ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନର ମହତ୍ତ୍ୱ, ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ଏବଂ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଯାଇଥିଲା।
ଜାତି, ଧର୍ମ, ଭାଷା ଓ ବର୍ଣ୍ଣର ଭିନ୍ନତା ଭୁଲି ଏକତାର ସୂତ୍ରରେ ବାନ୍ଧି ହୋଇ ଦେଶର ଅଖଣ୍ଡତା ରକ୍ଷା କରିବା ହିଁ ଏହି ଦିବସର ମୁଖ୍ୟ ସନ୍ଦେଶ। ବଅଁରପାଳ ଥାନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଜାତୀୟ ଏକତା ଓ ଦେଶପ୍ରେମର ଭାବନାକୁ ଆହୁରି ମଜବୁତ କରିବାର ବାର୍ତ୍ତା ଦିଆଯାଇଥିଲା।
