Spread the love

*ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ*

*ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ଅନୁଧ୍ୟାନ ସହ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ*

– ସାନଖେମୁଣ୍ଡି, ଶେରଗଡ଼, ଦିଗପହଣ୍ଡି ଓ ହିଞ୍ଜିଳିକାଟୁ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ପରିଦର୍ଶନ

– ଅନେକ ରାସ୍ତାର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ, ଗମନାଗମନ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର

ଭୁବନେଶ୍ୱର, ୩୧. ୧୦. ୨୦୨୬- ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ କ୍ଷୟକ୍ଷତିର ଅନୁଧ୍ୟାନ ଏବଂ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପାଇଁ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପୂର୍ତ୍ତମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ଜିଲ୍ଲାର ସାନଖେମୁଣ୍ଡି, ଶେରଗଡ଼, ଦିଗପହଣ୍ଡି ଓ ହିଞ୍ଜିଳିକାଟୁ ଆଦି ବିଭିନ୍ନ ବ୍ଲକ୍‌ର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ରାସ୍ତା ଓ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିବା ସହ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ବାତ୍ୟା ପରେ ଜନସାଧାରଣଙ୍କ ଯାତାୟାତକୁ ସ୍ୱାଭାବିକ କରିବା ଏବଂ ସଡ଼କ ଯୋଗାଯୋଗ ବ୍ୟବସ୍ଥାର ତ୍ୱରିତ ପୁନଃରୁଦ୍ଧାର ଉପରେ ପୂର୍ତ୍ତ ବିଭାଗ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି। ଏହି କ୍ରମରେ ଜିଲ୍ଲାର ଅନେକ କ୍ଷତିଗ୍ରସ୍ତ ରାସ୍ତାର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ ହୋଇଛି। ଫଳରେ ବିଭିନ୍ନ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହ ଯାତାୟାତ ସ୍ୱାଭାବିକ ହେବାରେ ଲାଗିଛି।

ଗସ୍ତ ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭିନ୍ନ ସ୍ଥାନରେ ଚାଲିଥିବା ମରାମତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଅବଶିଷ୍ଟ କ୍ଷତିଗ୍ରସ୍ତ ରାସ୍ତା ଓ ଭିତ୍ତିଭୂମିର ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ସମ୍ପନ୍ନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ଏଠାରେ ସୂଚନା ଯୋଗ୍ୟଯେ ବାତ୍ୟା ପରବର୍ତ୍ତୀ ସମୟରେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ପୂର୍ତ୍ତ ବିଭାଗ ତ୍ୱରିତ ଗତିରେ ପୁନଃରୁଦ୍ଧାର କାର୍ଯ୍ୟକୁ ଆଗେଇ ନେଉଛି I ଯେଉଁ ସ୍ଥାନଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟ ବାକି ରହିଛି, ସେଠାରେ କାର୍ଯ୍ୟ ଦ୍ରୁତଗତିରେ ଜାରି ରହିଛି। ବିଭାଗୀୟ ଅଧିକାରୀ ଓ କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନଙ୍କ ସମନ୍ୱୟରେ ନିରନ୍ତର ତଦାରଖ ମାଧ୍ୟମରେ ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପନ୍ନ କରିବା ସହ ଜିଲ୍ଲାର ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ୱାଭାବିକ କରିବା ଦିଗରେ ପୂର୍ତ୍ତ ବିଭାଗ ନିରନ୍ତର ପ୍ରୟାସ ଜାରି ରଖିଛି।

Leave a Reply

Your email address will not be published. Required fields are marked *