Spread the love

ସାଉଥ୍ ବଲଣ୍ଡାରେ ମା’ ମହାଲକ୍ଷ୍ମୀଙ୍କ ଅଷ୍ଟମ ଦିବସ ପୂଜା, ଭକ୍ତିମୟ ପରିବେଶରେ ଲଡ଼ୁ ନିଲାମ

୪୮ ବର୍ଷର ପରମ୍ପରା ବଜାୟ; ମା’ଙ୍କ କୃପା ଲାଭ ପାଇଁ ରାଜ୍ୟ ବାହାରୁ ମଧ୍ୟ ଛୁଟୁଛନ୍ତି ଭକ୍ତ

ତାଳଚେର, ୧/୧୧: ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହର ମାହୋଲ ମଧ୍ୟରେ ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ମାର୍କେଟ କମ୍ପ୍ଲେକ୍ସଠାରେ ମା’ ମହାଲକ୍ଷ୍ମୀଙ୍କ ଅଷ୍ଟମ ଦିବସ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଛି। ଏହି ଅବସରରେ ମା’ଙ୍କ ପୂଜାର୍ଚ୍ଚନା ସହ ପାରମ୍ପରିକ ଲଡ଼ୁ ନିଲାମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସାଉଥ୍ ବଲଣ୍ଡା ମାର୍କେଟ କମ୍ପ୍ଲେକ୍ସ ବଣିକ ସଂଘ ପକ୍ଷରୁ ଦୀର୍ଘ ୪୮ ବର୍ଷ ଧରି ମା’ ମହାଲକ୍ଷ୍ମୀଙ୍କ ଏହି ପୂଜା ଆୟୋଜନ କରାଯାଇ ଆସୁଛି। ଦୀର୍ଘବର୍ଷର ଏହି ଧାର୍ମିକ ପରମ୍ପରା ଆଜି ଅଞ୍ଚଳର ଏକ ପ୍ରମୁଖ ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ପାଲଟିଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କରିବା ପାଇଁ କେବଳ ଅନୁଗୋଳ ଜିଲ୍ଲା ନୁହେଁ, ରାଜ୍ୟ ବାହାରୁ ମଧ୍ୟ ବହୁ ଭକ୍ତଙ୍କ ସମାଗମ ହୋଇଥାଏ।

ରବିବାର ଅଷ୍ଟମ ଦିବସରେ ମା’ଙ୍କ ସ୍ୱତନ୍ତ୍ର ପୂଜାନୀତି ସମ୍ପନ୍ନ ହେବା ସହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଲଡ଼ୁ ନିଲାମ କରାଯାଇଥିଲା। ଏହି ଧାର୍ମିକ ଉତ୍ସବରେ ଜଗନ୍ନାଥ ମାଇନ୍ସର ଅତିରିକ୍ତ ମହାପ୍ରବନ୍ଧକ (Additional GM) ଶ୍ରୀ ସୁଧାଂଶୁ ଶେଖର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ।

କାର୍ଯ୍ୟକ୍ରମ ଶେଷରେ ବଣିକ ସଂଘର ସଭାପତି ବ୍ରଜକିଶୋର ପ୍ରଧାନ, ଉପସଭାପତି ଉତ୍ସବ ପ୍ରଧାନ ଓ କୋଷାଧ୍ୟକ୍ଷ ଖଗେଶ୍ୱର ସାହୁଙ୍କ ସମେତ ସଂଘର ସଦସ୍ୟମାନେ ଅତିଥି ଓ ଉପସ୍ଥିତ ସାମ୍ବାଦିକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ।

୪୮ ବର୍ଷର ଏହି ପରମ୍ପରାକୁ ଆଗକୁ ବଢ଼ାଇବା ସହ ମା’ ମହାଲକ୍ଷ୍ମୀଙ୍କ ପୂଜା ମାଧ୍ୟମରେ ଅଞ୍ଚଳରେ ଧାର୍ମିକ ଭାବନା, ଭାଇଚାରା ଓ ସାମାଜିକ ଏକତାର ବାର୍ତ୍ତା ପ୍ରସାରିତ ହେଉଛି।

ତାଳଚେରରୁ ସନାତନ କରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।

Leave a Reply

Your email address will not be published. Required fields are marked *