### ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତଙ୍କୁ ମିଳିବ ୨୫୦୦ ଟଙ୍କା, ୧୦୭.୭୦ କୋଟିରୁ ଊର୍ଦ୍ଧ୍ୱ ଅନୁଗ୍ରହ ରାଶି ମଞ୍ଜୁର
ଗଞ୍ଜାମର ୪,୨୯,୭୮୨ ଓ କୋରାପୁଟର ୧,୦୫୧ ପରିବାର ହେବେ ଉପକୃତ, ଜିଲ୍ଲାପାଳଙ୍କୁ ଅର୍ଥ ଆବଣ୍ଟନ
ଭୁବନେଶ୍ୱର, ୪/୧୧: ବାତ୍ୟା ‘ଅର୍ଣ୍ଣବ’ରେ ପ୍ରଭାବିତ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ସହାୟତା ପ୍ୟାକେଜ୍ ଅନୁଯାୟୀ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ପ୍ରଭାବିତ ପରିବାରଙ୍କୁ ନଗଦ ଅନୁଗ୍ରହ ରାଶି ବଣ୍ଟନ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ମୋଟ ୧୦୭ କୋଟି ୭୦ ଲକ୍ଷ ୮୨ ହଜାର ୫୦୦ ଟଙ୍କା ମଞ୍ଜୁର କରାଯାଇଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ଏହି ଅର୍ଥରୁ ଗଞ୍ଜାମ ଜିଲ୍ଲା ପାଇଁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ଏବଂ କୋରାପୁଟ ଜିଲ୍ଲା ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଆବଣ୍ଟନ କରାଯାଇଛି।
ସରକାରୀ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ୪ ଲକ୍ଷ ୨୯ ହଜାର ୭୮୨ଟି ପ୍ରଭାବିତ ପରିବାରଙ୍କୁ ପରିବାର ପିଛା ୨,୫୦୦ ଟଙ୍କା ଲେଖାଏଁ ନଗଦ ସହାୟତା ମିଳିବ। ସେହିପରି କୋରାପୁଟ ଜିଲ୍ଲାର ୧,୦୫୧ଟି ପ୍ରଭାବିତ ପରିବାର ମଧ୍ୟ ଏହି ସହାୟତା ପାଇବେ।
ମଞ୍ଜୁର ହୋଇଥିବା ଅର୍ଥ ସମ୍ପୃକ୍ତ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି। ନିର୍ଦ୍ଧାରିତ ସରକାରୀ ନିୟମ ଓ ମାର୍ଗଦର୍ଶିକା ଅନୁସାରେ ଯୋଗ୍ୟ ପରିବାରଙ୍କୁ ତୁରନ୍ତ ଏହି ଅନୁଗ୍ରହ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି।
ବାତ୍ୟା ପରବର୍ତ୍ତୀ ସ୍ଥିତିରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ସେମାନଙ୍କୁ ପୁନର୍ବାର ସ୍ୱାଭାବିକ ଜୀବନଧାରାକୁ ଫେରାଇ ଆଣିବା ଦିଗରେ ଏହି ଅର୍ଥ ମଞ୍ଜୁରୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
