### ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବାକୁ ମିଳିବ ନୂଆ ଗତି, ରାଇକଳାରେ SBI ଶାଖା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୮/୧୧: ଗ୍ରାମାଞ୍ଚଳର ଲୋକଙ୍କୁ ହାତପାଆନ୍ତାରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଦେବା ସହ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। କେନ୍ଦୁଝର ଜିଲ୍ଲାର ରାଇକଳାଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)ର ନୂତନ ଶାଖାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି।
ନୂତନ ବ୍ୟାଙ୍କ ଶାଖା ଆରମ୍ଭ ହେବା ଫଳରେ ରାଇକଳା ପଞ୍ଚାୟତ ସମେତ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ଆଉ ବ୍ୟାଙ୍କିଙ୍ଗ୍ ସେବା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ। ବିଶେଷକରି ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG), କ୍ଷୁଦ୍ର ବ୍ୟବସାୟୀ ଏବଂ ସାଧାରଣ ଗ୍ରାହକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ।
ଏହି ଶାଖା ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସେବା ସହଜରେ ଉପଲବ୍ଧ ହେବ। ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍ ସୁବିଧାର ସମ୍ପ୍ରସାରଣ ସହ ଲୋକଙ୍କୁ ଆର୍ଥିକ ବ୍ୟବସ୍ଥା ସହ ଯୋଡ଼ିବାରେ ଏହି ନୂତନ ଶାଖା ସହାୟକ ହେବ ବୋଲି ଆଶା କରାଯାଉଛି।
