### ନଭେମ୍ବର ୧୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି, ୧୬ରେ ବିଧାୟକଙ୍କୁ ଦେବେ ସଂସଦୀୟ ପରମ୍ପରାର ପାଠ
ଭୁବନେଶ୍ୱର, ୯/୧୧: ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ। ଆସନ୍ତା ନଭେମ୍ବର ୧୫ ତାରିଖରେ ସେ ଓଡ଼ିଶାରେ ପହଞ୍ଚିବେ। ଏହି ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ୧୬ ତାରିଖରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ ନବନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ।
ସପ୍ତଦଶ ଓଡ଼ିଶା ବିଧାନସଭାରେ ୧୪୭ ଜଣ ସଦସ୍ୟ ରହିଛନ୍ତି। ନୂତନ ବିଧାନସଭା ଗଠନ ପରେ ବିଧାୟକମାନଙ୍କୁ ଗୃହର କାର୍ଯ୍ୟପ୍ରଣାଳୀ, ବିଧାନସଭାର ନିୟମାବଳୀ, ସଂସଦୀୟ ପରମ୍ପରା ଏବଂ ଜନପ୍ରତିନିଧି ଭାବେ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ।
ବିଶେଷକରି ବିଧାନସଭାରେ କିଭଳି ନିଜର ମତାମତ ଉପସ୍ଥାପନ କରିବେ, ଜନସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ଉଠାଇବେ ଏବଂ ନିଜ ନିର୍ବାଚନମଣ୍ଡଳୀର ସମସ୍ୟାକୁ ଗୃହର ଦୃଷ୍ଟିକୁ ଆଣିବେ, ସେନେଇ ବିଧାୟକମାନଙ୍କୁ ମାର୍ଗଦର୍ଶନ ଦିଆଯିବ।
ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଶ୍ରୀ ରାଧାକୃଷ୍ଣନ ନିଜର ଅନୁଭୂତି ଓ ସଂସଦୀୟ ଅଭିଜ୍ଞତା ଆଧାରରେ ବିଧାୟକମାନଙ୍କୁ ଦିଗ୍ଦର୍ଶନ ଦେବେ। ଆଗାମୀ ନଭେମ୍ବର ୧୮ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଧାନସଭାର ଅଷ୍ଟମ ଅଧିବେଶନ ଚାଲିବାକୁ ଥିବାରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବେଶ୍ ଗୁରୁତ୍ୱ ଦିଆଯାଉଛି।
ନୂଆ ଅଧିବେଶନ ପୂର୍ବରୁ ବିଧାୟକମାନଙ୍କୁ ବିଧାନସଭାର ନିୟମ ଓ ପ୍ରକ୍ରିୟା ସମ୍ପର୍କରେ ଅଧିକ ଦକ୍ଷ କରିବା ସହ ଗୃହର କାର୍ଯ୍ୟକୁ ଅଧିକ ଫଳପ୍ରଦ କରିବାରେ ଏହି ପ୍ରଶିକ୍ଷଣ ସହାୟକ ହେବ ବୋଲି ଆଶା କରାଯାଉଛି।
ଜାଗ୍ରତ ଭାରତ ନ୍ୟୁଜ୍
