Spread the love

ଢେଙ୍କାନାଳ ସିଦ୍ଧ ବଳରାମଜୀଉ ମନ୍ଦିରରେ ହରି ଉତ୍ଥାପନ ବଡ଼ ଏକାଦଶୀ ନୀତି ପାଳିତ

ଢେଙ୍କାନାଳ: ପବିତ୍ର କାର୍ତ୍ତିକ ମାସ ଅବସରରେ ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ଶ୍ରୀଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ହରି ଉତ୍ଥାପନ ବଡ଼ ଏକାଦଶୀ ନୀତି ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି।

ଏହି ଅବସରରେ ପ୍ରାତଃକାଳରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ସ୍ନାନ, ବସ୍ତ୍ର ଲାଗି, ତୁଳସୀ ହାର ଓ ପୁଷ୍ପ ହାର ଲାଗି ଆଦି ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ପରେ ବଲ୍ଲଭ ଭୋଗ ଲାଗି କରାଯାଇଥିବା ବେଳେ ପୂର୍ବାହ୍ନ ୧୦ଟା ସମୟରେ ମହାପ୍ରଭୁଙ୍କ ନିକଟରେ ଖେଚେଡ଼ି ଭୋଗ ଅର୍ପଣ କରାଯାଇଥିଲା।

ସେହିପରି ମଧ୍ୟାହ୍ନରେ ଅନ୍ନ ଧୂପ, ସନ୍ଧ୍ୟାରେ ଆଳତି ଏବଂ ରାତ୍ରି ଧୂପ ପରେ ଏକାଦଶୀ ବେଢ଼ା ପରିକ୍ରମା ସହ ମନ୍ଦିର ଶିଖରକୁ ମହାଦୀପ ଉଠିବାର ବିଧି ରହିଛି। ପରେ ପହଡ ପଡ଼ିବ।

ଏହି ଧାର୍ମିକ କାର୍ଯ୍ୟକ୍ରମରେ ପୂଜକ ମନସୁମନ ମିଶ୍ର, ପୂଜକ ଶ୍ରୀବତ୍ସ ମିଶ୍ର, ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା।

ମହାପ୍ରଭୁ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ଦର୍ଶନ ପାଇଁ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତିମୟ ପରିବେଶ ମଧ୍ୟରେ ହରି ଉତ୍ଥାପନ ବଡ଼ ଏକାଦଶୀ ନୀତି ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *