### ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଓ ମରାମତି ନାଁରେ ୭.୨୪ ଲକ୍ଷ ଟଙ୍କା ହଡ଼ପ, ପୂର୍ବତନ ପିଇଓଙ୍କ ସମେତ ୩ ଗିରଫ
ବ୍ରହ୍ମପୁର: ଗ୍ରାମାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାଁରେ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ୩ ଜଣଙ୍କୁ ଗିରଫ କରିଛି। ଗଞ୍ଜାମ ଜିଲ୍ଲା ବାଲ୍ୟାସରା ଗ୍ରାମ ପଞ୍ଚାୟତରେ ୭ ଲକ୍ଷ ୨୪ ହଜାର ୯୫୯ ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ଏହି ଗିରଫଦାରୀ ହୋଇଛି।
ଗିରଫ ବ୍ୟକ୍ତିମାନେ ହେଲେ ବାଲ୍ୟାସରା ପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜେ. ରାମା ରାଓ, ବର୍ତ୍ତମାନ ରଙ୍ଗେଇଲୁଣ୍ଡା ବ୍ଲକରେ କାର୍ଯ୍ୟରତ ପିଇଓ; କବିସୂର୍ଯ୍ୟନଗର ବ୍ଲକର କନିଷ୍ଠ ଯନ୍ତ୍ରୀ ସବ୍ୟସାଚୀ ଗନ୍ତାୟତ ଏବଂ ପୁରୁଷୋତ୍ତମପୁରର ମା’ ତାରାତାରିଣୀ କନଷ୍ଟ୍ରକ୍ସନର ମାଲିକ ତଥା କାର୍ଯ୍ୟ ସମ୍ପାଦନକାରୀ କୃଷ୍ଣଚନ୍ଦ୍ର ବେହେରା।
ଭିଜିଲାନ୍ସ ପକ୍ଷରୁ ହୋଇଥିବା ତଦନ୍ତ ଅନୁଯାୟୀ, କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବାଲ୍ୟାସରା ଗ୍ରାମ ପଞ୍ଚାୟତର ୫ଟି ଗାଁରେ ୧୨୨ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିବା ଦର୍ଶାଇ ବିଲ୍ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ବାସ୍ତବରେ ଠିକାଦାର କୃଷ୍ଣଚନ୍ଦ୍ର ବେହେରା ମାତ୍ର ୨୦ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଇଥିବା ବେଳେ ଅବଶିଷ୍ଟ ୧୦୨ଟି ଲାଇଟ୍ ଆଦୌ ସ୍ଥାପନ କରାଯାଇନଥିଲା।
ତଥାପି ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ୧୨୨ଟି ଲାଇଟ୍ ଲଗାଯାଇଥିବା ଦର୍ଶାଇ ୭ ଲକ୍ଷ ୭୫ ହଜାର ୯୩୯ ଟଙ୍କାର ବିଲ୍ ପ୍ରକ୍ରିୟାକରଣ କରି ଠିକାଦାରଙ୍କୁ ଅର୍ଥ ପ୍ରଦାନ କରାଯାଇଥିଲା। ଏହି ଅନିୟମିତତା ଯୋଗୁଁ ୬ ଲକ୍ଷ ୮୩ ହଜାର ୪୬୫ ଟଙ୍କା ହଡ଼ପ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ସେହିପରି ଷ୍ଟ୍ରିଟ୍ ଲାଇଟ୍ ରକ୍ଷଣାବେକ୍ଷଣ ବାବଦରେ ଜେ. ରାମା ରାଓଙ୍କୁ ୯୭ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ମାତ୍ର ଭିଜିଲାନ୍ସର ଭୌତିକ ଯାଞ୍ଚରେ ୪୧ ହଜାର ୪୯୩ ଟଙ୍କାର ରକ୍ଷଣାବେକ୍ଷଣ କାମ ହୋଇନଥିବା ଜଣାପଡ଼ିଥିଲା। ଏହି ଅର୍ଥ ମଧ୍ୟ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଛି।
ଏହିପରି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ମୋଟ ୭ ଲକ୍ଷ ୨୪ ହଜାର ୯୫୮ ଟଙ୍କାର ସରକାରୀ ଅର୍ଥ ହେରଫେର ହୋଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।
ଏହି ଘଟଣାରେ ପୂର୍ବତନ ସରପଞ୍ଚ ଝୁଲି ସେଠୀଙ୍କ ସମେତ ଅଭିଯୁକ୍ତମାନଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନଂ ୧୪/୨୦୨୬ ରୁଜୁ କରାଯାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଉଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଛି।
JAGRAT BHARAT NEWS | GANJAM
