ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
କଣିହାଁ ଅଞ୍ଚଳରେ ଶୋକର ଛାୟା, ଆକ୍ରମଣରେ ଆଉ ଜଣେ ଆହତ
ଅନୁଗୋଳ: ମହୁମାଛିଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପଥରମୁଣ୍ଡା ବଉଳ ଛକ ନିକଟରେ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ମହୁମାଛିଙ୍କ ଆକ୍ରମଣରେ ଟାକୁଆ ଗ୍ରାମର ତୁଷାର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ଆକ୍ରମଣରେ କଣିହାଁ ୟୁକୋ ବ୍ୟାଙ୍କର କର୍ମଚାରୀ ପପୁ ଦେହୁରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ତାଙ୍କୁ ତୁରନ୍ତ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
ଏହି ଅଘଟଣ କେଉଁ ପରିସ୍ଥିତିରେ ଘଟିଲା ଏବଂ ମହୁମାଛିଙ୍କ ଆକ୍ରମଣର କାରଣ କ’ଣ, ସେନେଇ ବିସ୍ତୃତ ତଥ୍ୟ ଜଣାପଡ଼ିନାହିଁ। ଅକାଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି।
କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,
