Spread the love

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦ୍‌ରୋଗ ବିଶେଷଜ୍ଞ ସେବାକୁ ପୂରିଲା ୮ ବର୍ଷ

ଡା. ଋଷିକାନ୍ତ ମହାନ୍ତଙ୍କ ନିଃସ୍ୱାର୍ଥପର ଉଦ୍ୟମରେ ୨୦ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଉପକୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ହୃଦ୍‌ରୋଗ ବିଶେଷଜ୍ଞ ସେବାକୁ ସଫଳତାର ସହ ୮ ବର୍ଷ ପୂରଣ ହୋଇଛି। ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କୁ ନିଜ ଜିଲ୍ଲାରେ ଉନ୍ନତ ହୃଦ୍‌ରୋଗ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ୨୦୧୮ ମସିହା ଡିସେମ୍ବର ମାସରେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡା. ଋଷିକାନ୍ତ ମହାନ୍ତଙ୍କ ସ୍ୱେଚ୍ଛାକୃତ ଉଦ୍ୟମରେ ଏହି ସୁପର ସ୍ପେଶାଲିଟି ସେବାର ଶୁଭାରମ୍ଭ ହୋଇଥିଲା।

ଦୀର୍ଘ ୮ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ଏହି ସେବା ଜାରି ରଖିଛନ୍ତି। ତାଙ୍କର ଏହି ନିଷ୍ଠାପର ଉଦ୍ୟମ ଯୋଗୁଁ ଅନୁଗୋଳ ସମେତ ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ୨୦ ହଜାରରୁ ଊର୍ଦ୍ଧ୍ୱ ହୃଦ୍‌ରୋଗୀ ଉପକୃତ ହୋଇଛନ୍ତି। ପୂର୍ବରୁ ହୃଦ୍‌ରୋଗ ଚିକିତ୍ସା ପାଇଁ ରୋଗୀମାନଙ୍କୁ କଟକ, ଭୁବନେଶ୍ୱର ଭଳି ଦୂରସ୍ଥାନକୁ ଯିବାକୁ ପଡ଼ୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଉପଲବ୍ଧ ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ବିଶେଷ ସୁବିଧା ମିଳିଛି।

ଏହି ସେବାର ଅନ୍ୟତମ ଉଲ୍ଲେଖନୀୟ ସଫଳତା ହେଉଛି ଶିଶୁମାନଙ୍କ ଜନ୍ମଗତ ହୃଦ୍‌ରୋଗ ଚିହ୍ନଟ ଓ ଚିକିତ୍ସା। ଜାତୀୟ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (RBSK) ଅଧୀନରେ ୫୦୦ରୁ ଅଧିକ ଶିଶୁଙ୍କ ଜନ୍ମଗତ ହୃଦ୍‌ରୋଗ ଚିହ୍ନଟ କରାଯାଇ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ କରି ଉଚ୍ଚତର ଚିକିତ୍ସା କେନ୍ଦ୍ରକୁ ପଠାଇବା ଦ୍ୱାରା ଅନେକ ଶିଶୁଙ୍କୁ ନୂତନ ଜୀବନ ମିଳିବାର ସୁଯୋଗ ସୃଷ୍ଟି ହୋଇଛି।

ଏଥିସହିତ ଜିଲ୍ଲାରେ ହୃଦ୍‌ରୋଗ ସମ୍ପର୍କିତ ସଚେତନତା ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି ଦିଗରେ ମଧ୍ୟ ଡା. ମହାନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେ ବିଭିନ୍ନ ସମୟରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ECG ବ୍ୟାଖ୍ୟା ଓ ମୌଳିକ ଜୀବନ ରକ୍ଷାକାରୀ ପ୍ରଣାଳୀ (Basic Life Support-BLS) ଉପରେ ଅନେକ ପ୍ରଶିକ୍ଷଣ ଶିବିର ଆୟୋଜନ କରିଛନ୍ତି। ହୃଦ୍‌ଘାତ ସମୟରେ ତୁରନ୍ତ ରୋଗ ଚିହ୍ନଟ, CPR ଓ ଜରୁରୀକାଳୀନ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ଏହି ପ୍ରଶିକ୍ଷଣଗୁଡ଼ିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଧିକ ସଚେତନ ଓ ଦକ୍ଷ କରିଛି।

ଜିଲ୍ଲାର ବହୁ ଗରିବ ଓ ଆର୍ଥିକ ଅନଗ୍ରସର ହୃଦ୍‌ରୋଗୀଙ୍କୁ ଚିହ୍ନଟ କରି ଉଚ୍ଚତର ଚିକିତ୍ସା କେନ୍ଦ୍ରକୁ ପଠାଇବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ଏବଂ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଆଞ୍ଜିଓପ୍ଲାଷ୍ଟି, ବାଇପାସ୍ ସର୍ଜରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ହୃଦ୍‌ରୋଗ ଅସ୍ତ୍ରୋପଚାର ପାଇଁ ସହାୟତା ଯୋଗାଇ ଦିଆଯାଇଛି। ଫଳରେ ଅନେକ ରୋଗୀ ଏହି ସରକାରୀ ସ୍ୱାସ୍ଥ୍ୟ ଯୋଜନାର ସୁଯୋଗ ପାଇ ଉନ୍ନତ ଚିକିତ୍ସା ଲାଭ କରିପାରିଛନ୍ତି।

ଡା. ଋଷିକାନ୍ତ ମହାନ୍ତଙ୍କ ଏହି ୮ ବର୍ଷର ସେବା ଯାତ୍ରା କେବଳ ଏକ ଚିକିତ୍ସା ସେବାର ସଫଳତା ନୁହେଁ, ବରଂ ଗ୍ରାମାଞ୍ଚଳରେ ସୁପର ସ୍ପେଶାଲିଟି ଚିକିତ୍ସା ସେବାର ପ୍ରସାର ଓ ମାନବିକତାର ଏକ ଉଦାହରଣ। ସରକାରୀ ଚିକିତ୍ସାଳୟରେ ନିଜର ବିଶେଷଜ୍ଞତା ଓ ସମୟକୁ ସ୍ୱେଚ୍ଛାକୃତ ଭାବେ ନିୟୋଜିତ କରି ସେ ଜିଲ୍ଲାର ହଜାର ହଜାର ଲୋକଙ୍କ ହୃଦ୍‌ସ୍ୱାସ୍ଥ୍ୟ ସୁରକ୍ଷାରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସୁଛନ୍ତି।

ଏହି ଅବସରରେ ଜିଲ୍ଲାର ବୁଦ୍ଧିଜୀବୀ ଓ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ବିଭିନ୍ନ ମହଲରେ ଏହି ନିରବଚ୍ଛିନ୍ନ ସେବା ପ୍ରୟାସକୁ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ମଧ୍ୟ ଅନୁଗୋଳ ଜିଲ୍ଲାର ଜନସାଧାରଣ ଏହି ସେବା ଦ୍ୱାରା ଅଧିକ ଉପକୃତ ହେବେ ବୋଲି ଆଶା ପ୍ରକାଶ ପାଇଛି।

ତାଳଚେର ରୁ ସନାତନ କର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ୍

Leave a Reply

Your email address will not be published. Required fields are marked *