Spread the love

ବାଲି ଉଠାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

ଢେଙ୍କାନାଳ, ୨୬/୧୧ : ବ୍ରାହ୍ମଣୀ ନଦୀରୁ ହାଇୱା ଗାଡିରେ ବାଲି ବୋଝେଇ କରି କନ୍ତିଓପୁଟସାହି ଗ୍ରାମପଂଚାୟତର ବିଭିନ୍ନ ରାସ୍ତା ଦେଇ ପ୍ରତିଦିନ ଯାଉଥୁବାରୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ବାଲି ଉଠାକୁ ସଂପୂର୍ଣ ବନ୍ଦ କରିବାକୁ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍‌ଙ୍କୁ ଗୁହାରୀ ଜଣାଇଛନ୍ତି । ଏଥିରେ ବହୁ ସମସ୍ୟା ଉଲ୍ଲେଖ କରିଛନ୍ତି, ଯଥା-ଗ୍ରାମାଂଚଳ ରାସ୍ତାଗୁଡିକ ହାଲୁକା ଯାନବାହନ ଚଳାଚଳ ପାଇଁ ନିର୍ମାଣ ହୋଇଥିବାରୁ ଅତ୍ୟଧିକ ଓଜନିଆ ହାଇୱା ଗାଡି ଚାଲିବା ଯୋଗୁଁ ପିଚୁ ଓ କଂକ୍ରିଟ୍ ରାସ୍ତା ନଷ୍ଟ ହୋଇ ଖାଲ ସୃଷ୍ଟି ହେଉଅଛି । ନଦୀରୁ ଓଦାବାଲି ବୋଝେଇ ହୋଇ ଯାଉଥିବାରୁ ପାଣି ଝରି ରାସ୍ତାରେ ଜମା ହେବା ଦ୍ବାରା କାଦୁଅ ସୃଷ୍ଟି ହେଉଅଛି । ଗ୍ରାମରାସ୍ତାଗୁଡିକ ଅଣଓସାରିଆ ଥୁବାରୁ ବୀପରିତ ଦିଗରୁ ଆସୁଥିବା ବାଇକ୍ କିମ୍ବା ଚାରିଚକିଆ ଯାନ ଯାତାୟତରେ ଅସୁବିଧା ହେବା ସହ ଦୁର୍ଘଟଣା ମଧ୍ଯ ଘଟୁଛି । ରାସ୍ତାର ଉଭୟ ପାର୍ଶ୍ଵରେ ଘର ଥିବାରୁ ଲୋକମାନେ ଚଳପ୍ରଚଳ କରିବାକୁ ବିପଦପୂର୍ଣ ମଣୁଛନ୍ତି, ଗ୍ରାମବାସୀମାନେ ଚାଷବାସ ପାଇଁ ବିଲକୁ ଯିବା, ପିଲାମାନେ ବିଦ୍ୟାଳୟକୁ ଯିବା, ମନ୍ଦିରକୁ ଯିବା, ଗାଈଗୋରୁ ନେବା ଆଣିବାରେ ଅସୁବିଧା ଉପୁଜୁଛି । ସବୁବେଳେ ହାଇୱା ଗାଡି ଚଳପ୍ରଚଳ କରୁଥିବାରୁ ପ୍ରଚଣ୍ଡ ଓ ବିକଟାଳ ଶବ୍ଦ ଯୋଗୁଁ ଶ୍ରବଣ ଜନିତ ସମସ୍ୟା ଓ ରାତ୍ରି ସମୟରେ ନିଦ୍ରା ବ୍ୟାଘାତ ହେଉଅଛି । ବାଲି ଘାଟ ଠାରୁ ଉଭୟ ପାର୍ଶ୍ବରେ ଧାନକ୍ଷେତ ଥୁବାରୁ ବାଲିପଡି ଚାଷ ତାହା ନଷ୍ଟ ହେଉଅଛି । ବାଲିଘାଟ ନଦୀ କୂଳରେ ଶୈବପୀଠ ଥିବାରୁ ଝିଅବୋହୁମାନେ ମନ୍ଦିର ଯିବାରେ ଅସାମାଜିକ ଓ ନିଶାସକ୍ତ ବ୍ୟକ୍ତିମାନଙ୍କ ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ବିଷୟରେ ପୂର୍ବରୁ ବହୁବାର ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ତାହା ସମାଧାନ ହୋଇପାରୁ ନାହିଁ । ତେଣୁ ଉକ୍ତ ବାଲିଉଠାକୁ ସମ୍ପୂର୍ଣ ବନ୍ଦ କରିବାକୁ ଗ୍ରାମର ରାଜକିଶୋର ସାହୁ, ବିକ୍ରମାଦିତ୍ୟ ପଣ୍ଡା, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରଦୀପ ଦଳେଇ, ରୁଦ୍ର ନାରାୟଣ ବେହେରାଙ୍କ ସମେତ ବହୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଯଦି ଏହା ସମାଧାନ ନହୁଏ ତେବେ ଆଗକୁ ରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *