Spread the love

ନିର୍ବାଚନୀ ସାକ୍ଷରତା କ୍ଲବ୍ (ELC) ଅଧୀନରେ ଜିଲ୍ଲାସ୍ତରୀୟ ରଚନା ଲିଖନ ଓ କୁଇଜ୍‌ ପ୍ରତିଯୋଗିତା – ୨୦୨୬ର ପୁରସ୍କାର ବିତରଣ ସମାରୋହ

ଅନୁଗୋଳ, ତା. ୨୬.୧୧.୨୦୨୬: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିର୍ବାଚନୀ ସାକ୍ଷରତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ଅନୁଗୋଳ ପକ୍ଷରୁ ନିର୍ବାଚନୀ ସାକ୍ଷରତା କ୍ଲବ୍ (ELC) ଅଧୀନରେ ୨୦୨୬ ମସିହାର ଜିଲ୍ଲାସ୍ତରୀୟ ରଚନା ଲିଖନ ଓ କୁଇଜ୍‌ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି।

ଜିଲ୍ଲାର ୪୬ଟି ଶିକ୍ଷାନୁଷ୍ଠାନରେ ତିନିଟି ପର୍ଯ୍ୟାୟରେ ଯଥା— ଶିକ୍ଷାନୁଷ୍ଠାନ ସ୍ତର, ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତର ଏବଂ ଜିଲ୍ଲା ସ୍ତରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରଚନା ଲିଖନ ପ୍ରତିଯୋଗିତାରେ ଶିକ୍ଷାନୁଷ୍ଠାନ ସ୍ତରରେ ୭୪୧ ଜଣ, ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ୧୦୩ ଜଣ ଏବଂ ଜିଲ୍ଲାସ୍ତରରେ ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେହିପରି କୁଇଜ୍‌ ପ୍ରତିଯୋଗିତାରେ ଶିକ୍ଷାନୁଷ୍ଠାନ ସ୍ତରରେ ୯୦୦ ଜଣ, ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ୧୦୪ ଜଣ ଏବଂ ଜିଲ୍ଲାସ୍ତରରେ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ରଚନା ଲିଖନ ପ୍ରତିଯୋଗିତାରେ ‘ଶୁଦ୍ଧ ଓ ତ୍ରୁଟିମୁକ୍ତ ଭୋଟର ତାଲିକାର ଗୁରୁତ୍ୱ’ ଏବଂ ‘ମତଦାନର ମହତ୍ତ୍ୱ’ ଭଳି ବିଷୟବସ୍ତୁ ସ୍ଥାନ ପାଇଥିବା ବେଳେ, କୁଇଜ୍‌ ପ୍ରତିଯୋଗିତାରେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ, ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM), ଭିଭିପ୍ୟାଟ୍ (VVPAT), ମତଦାନ ଏବଂ ଭୋଟ ଗଣତି ପ୍ରକ୍ରିୟା ସମ୍ପର୍କିତ ପ୍ରଶ୍ନ ଅନ୍ତର୍ଭୁକ୍ତ ହୋଇଥିଲା।

ପ୍ରତିଯୋଗୀମାନଙ୍କର କୃତିତ୍ୱକୁ ସମ୍ମାନ ଜଣାଇବା ପାଇଁ ଏକ ପୁରସ୍କାର ବିତରଣ ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଅନୁଗୋଳ ଉଭୟ ରଚନା ଲିଖନ ଓ କୁଇଜ୍‌ ବିଭାଗର ଶ୍ରେଷ୍ଠ ୧୦ ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ। ସେ କୃତୀ ପ୍ରତିଯୋଗୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କର ଉତ୍ସାହଜନକ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।

ସମାରୋହରେ ଉଦ୍‌ବୋଧନ ଦେଇ ଜିଲ୍ଲାପାଳ କହିଥିଲେ ଯେ, ନିର୍ବାଚନୀ ସାକ୍ଷରତା ଏକ ସୁସ୍ଥ ଓ ସଶକ୍ତ ଗଣତନ୍ତ୍ରର ଅବିଚ୍ଛେଦ୍ୟ ଅଙ୍ଗ। ଛାତ୍ରଛାତ୍ରୀମାନେ ହେଉଛନ୍ତି ଭବିଷ୍ୟତର ମତଦାତା; ତେଣୁ ସେମାନେ ନିଜ ପରିବାର ଓ ସମାଜରେ ନିର୍ବାଚନୀ ସଚେତନତାର ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ସେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଦାୟିତ୍ୱବାନ ଓ ସଚେତନ ନାଗରିକ ହେବା ସହ ନିଜ ପରିବାରର ଯୋଗ୍ୟ ସଦସ୍ୟ ଏବଂ ଅନ୍ୟମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରାଇବା ପାଇଁ ପ୍ରେରିତ କରିବାକୁ ଏବଂ ବିନା ଭୟ, ପକ୍ଷପାତିତା ବା ପ୍ରଲୋଭନରେ ନୈତିକ ମତଦାନ କରିବାକୁ ଆହ୍ୱାନ ଜଣାଇଥିଲେ।

ପୁରସ୍କାର ଜିତିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଅଂଶଗ୍ରହଣ କରିବା ଓ ଜ୍ଞାନ ଆହରଣ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ଏବଂ ନିଜ ନିଜ ଅଞ୍ଚଳରେ ନିର୍ବାଚନୀ ସଚେତନତାର ଦୂତ ଭାବେ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ପ୍ରତିଯୋଗିତାର ସଫଳ ଆୟୋଜନରେ ସହଯୋଗ କରିଥିବା ସମସ୍ତ ଶିକ୍ଷାନୁଷ୍ଠାନ, ଶିକ୍ଷକ-ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ, ଅଧ୍ୟକ୍ଷ, ELC ସଂଯୋଜକ ଏବଂ ଅନ୍ୟାନ୍ୟ ସହଯୋଗୀମାନଙ୍କୁ ଜିଲ୍ଲା ପ୍ରଶାସନ, ଅନୁଗୋଳ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *