ଜୟ ଶାହା ଏସିସି ଅଧ୍ୟକ୍ଷ ନିର୍ବାଚିତ

ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ : ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଆଉ ଏକ ନୂତନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ମିଳିଛି । ସେ ଏସୀୟ କ୍ରିକେଟ ପରିଷଦ ( ଏସିସି ) ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ୩୬ ବର୍ଷ ବୟସ୍କ ବଙ୍ଗଳାଦେଶ କ୍ରିକେଟ ବୋର୍ଡ ( ବିସିବି ) ମୁଖ୍ୟ ନାମୁଲ ହାସନ୍ ପାପୋନଙ୍କ ସ୍ଥାନରେ ଜୟ ଏସିସି ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଟ୍ୱିଟ଼ କରି ସୂଚନା ଦେଇଛନ୍ତି । ଧୁମଲ ଜୟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ନେତୃତ୍ବର ଏସିସି ସଫଳତାର ଶୀର୍ଷ ସ୍ଥାନ ଛୁଇଁବା ସହିତ ଏସିଆରେ କ୍ରିକେଟ ଅଧିକ ଲାଭବାନ୍ ହୋଇପାରିବ ବୋଲି କହିଛନ୍ତି । ଜୟ ସର୍ବକନିଷ୍ଠ ବ୍ୟକ୍ତି ଭାବେ ଏସିସି ସଭାପତି ପଦରେ ଅଧୁତିଷ୍ଠ ହୋଇଛନ୍ତି । ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଏସିସିକୁ ଦାୟିତ୍ବ ପ୍ରଦାନ କରାଯାଇଥାଏ । କରୋନା ମହାମାରୀ ପାଇଁ ୨୦୨୦ ଜୁନରେ ହେବାକୁ ଥିବା ଏସିଆ କପ୍ ସ୍ଥଗିତ ରହିଛି । ପାକିସ୍ତାନ ଏସିଆ କପ୍ ଆୟୋଜନ ନେଇ ଅଧିକାର ପାଇଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟ ବାଂଲାଦେଶ କିମ୍ବା ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ରହିଛି ।



