ଫ୍ୟାମିଲି ପେନସନ୍ ସୀମା ମାସିକ 45,000 ଟଙ୍କାରୁ 1,25,000 ଟଙ୍କାକୁ ବୃଦ୍ଧି : ଡ. ଜିତେନ୍ଦ୍ର ସିଂ

ଜେ ବି ଏନ, ୧୩/୦୨/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ 45,000 ଟଙ୍କାରୁ 1,25,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଡୋନିଅର) ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ। ସେ କହିଛନ୍ତି, ଏହି ପଦକ୍ଷେପ ଫଳରେ ପରଲୋକଗତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ‘ଜୀବନ ଧାରଣ ସହଜ’ ହେବା ସହିତ ସେମାନଙ୍କୁ ଯଥେଷ୍ଟ ଆର୍ଥିକ ସୁରକ୍ଷା ପ୍ରଦାନ ମିଳିପାରିବ। ମନ୍ତ୍ରୀ ଆହୁରି କହିଥିଲେ ଯେ, ମାତାପିତାଙ୍କ ମୃତ୍ୟୁ ପରେ ଯଦି ସେମାନଙ୍କର ସନ୍ତାନ ଫ୍ୟାମିଲି ପେନସନର ଦୁଇଟି କିସ୍ତି ଉଠାଇବା ଲାଗି ଅଧିକୃତ ହୋଇଥାନ୍ତି, ସେହି ଅର୍ଥରାଶିର ପରିମାଣ ସମ୍ପର୍କରେ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଡ. ସିଂହ କହିଛନ୍ତି ଯେ ଏବେ ଏହି ଦୁଇଟି କିସ୍ତିର ମୋଟ ଅର୍ଥରାଶି 1,25,000 ଟଙ୍କାରୁ ଅଧିକ ହେବ ନାହିଁ। ଏହା ପୂର୍ବ ସର୍ବାଧିକ ସୀମା ଠାରୁ ଅଢ଼େଇ ଗୁଣା ଅଧିକ ବୃଦ୍ଧି।
କେନ୍ଦ୍ର ପ୍ରଶାସନିକ ସେବା (ପେନସନ) ନିୟମାବଳୀ, 1972ର ନିୟମ 54ର ଉପନିୟମ 11 ଅନୁରୂପ, ଯଦି ସ୍ବାମୀ ଏବଂ ସ୍ତ୍ରୀ ଉଭୟ ସରକାରୀ ଚାକିରିରେ ଅଛନ୍ତି ଏବଂ ଏହି ନିୟମ ଅଧୀନରେ ଆସୁଛନ୍ତି, ତା’ହେଲେ ସେମାନଙ୍କର ପରଲୋକ ସ୍ଥିତିରେ ତାଙ୍କର ଜୀବିତ ସନ୍ତାନ ଓ ମାତାପିତାଙ୍କୁ ଦୁଇଟି କିସ୍ତି ଫ୍ୟାମିଲି ପେନସନ ପାଇବା ଲାଗି ଯୋଗ୍ୟ ହେବେ। ଏଥିପୂର୍ବରୁ ଜାରି ନିର୍ଦ୍ଦେଶରେ ନିର୍ଦ୍ଧାରଣ କରାଯାଇଥିଲା ଯେ ଏପରି ମାମଲାରେ ଦୁଇଟି ପେନସନ କିସ୍ତିର ମୋଟ ଅର୍ଥରାଶି ମାସିକ ଯଥାକ୍ରମେ 45,000 ଟଙ୍କା ଏବଂ 27,000 ଟଙ୍କା ହେବ, ଅର୍ଥାତ୍ କ୍ରମଶଃ 50 ପ୍ରତିଶତ ଏବଂ 30 ପ୍ରତିଶତ ଦରରୁ ଅଧିକ ହେବ ନାହିଁ। ଷଷ୍ଠ ବେତନ ଆୟୋଗଙ୍କ ସୁପାରିସ ଅନୁରୂପ 90,000 ଟଙ୍କାର ସର୍ବାଧିକ ବେତନ ସନ୍ଦର୍ଭରେ ଏହି ବର୍ଦ୍ଧିତ ଅର୍ଥରାଶି ନିର୍ଦ୍ଧାରଣ କରାଯାଇଛି।
ବର୍ତ୍ତମାନ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ ସର୍ବାଧିକ ବେତନ ବୃଦ୍ଧି ପାଇଁ ମାସିକ 2,50,000 ଟଙ୍କା ହୋଇସାରିଛି। ତେଣୁ କେନ୍ଦ୍ରୀୟ ପ୍ରଶାସନିକ ସେବା ପେନସନ ନିୟମ 54(11) ଅନୁସାରେ ଏହି ଅର୍ଥରାଶି 2,50,000 ଟଙ୍କାର 50 ପ୍ରତିଶତ ଅର୍ଥାତ 1,25,000 ଟଙ୍କା ଏବଂ 2,50,000 ଟଙ୍କାର 30 ପ୍ରତିଶତ ଅର୍ଥାତ୍ 75,000 ଟଙ୍କା ନିର୍ଦ୍ଧାରଣ କରାଯାଇଛି।
ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ନିକଟରୁ ପ୍ରାପ୍ତ ପ୍ରସ୍ତାବ ସମ୍ପର୍କରେ ଏହି ସ୍ପଷ୍ଟୀକରଣ ଜାରି କରାଯାଇଛି। ବର୍ତ୍ତମାନର ନିୟମ ଅନୁଯାୟୀ ଯଦି କୌଣସି ସନ୍ତାନଙ୍କ ମାତା-ପିତା ସରକାରୀ ଚାକିରିରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ଚାକିରି କାଳରେ ମୃତ୍ୟୁ ହୋଇସାରିଛି କିମ୍ବା ସେ ଅବସର ଗ୍ରହଣ କରିସାରିଛନ୍ତି ତା’ହେଲେ ପରଲୋକଗତ ବ୍ୟକ୍ତିଙ୍କର ଫ୍ୟାମିଲି ପେନସନ ତାଙ୍କର ଜୀବିତ ସାଥୀଙ୍କୁ ଦିଆଯିବ। ଆହୁରି ଯଦି ସାଥୀଙ୍କର ମୃତ୍ୟୁ ଘଟେ ତା’ହେଲେ ତାଙ୍କର ଜୀବିତ ପିଲା ନିଜର ଯୋଗ୍ୟତା ସାବ୍ୟସ୍ତ କରିବା ପରେ ତାଙ୍କୁ ନିଜ ସ୍ବର୍ଗବାସୀ ମାତା-ପିତା ଉଭୟଙ୍କ ପାରିବାରିକ ପେନସନ ପ୍ରଦାନ କରାଯିବ।



