ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ COP26 ଅଧ୍ୟକ୍ଷ ଆଲୋକ ଶର୍ମା ଏମପି

ଜେ ବି ଏନ, ୧୭/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମେଳନର ଅଧ୍ୟକ୍ଷ ମାନନୀୟ ଆଲୋକ ଶର୍ମା ଏମପି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। COP ହେଉଛି ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ବ୍ୟବସ୍ଥା ସମ୍ମିଳନୀ (UNFCCC)ର ନିର୍ଣ୍ଣୟକାରୀ ସଂସ୍ଥା। ଏହାର 26ତମ ଅଧିବେଶନ ନଭେମ୍ବର 2021ରେ ଗ୍ଲାସଗୋ ଠାରେ ବ୍ରିଟେନ ପକ୍ଷରୁ ଆୟୋଜନ କରାଯିବ। COP 26 ପୂର୍ବରୁ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତ-ବ୍ରିଟେନ ସହଭାଗିତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏବଂ ଆଲୋକ ଶର୍ମା ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ପ୍ୟାରିସ ଚୁକ୍ତି ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇବା ସହିତ COP26ର ସଫଳ ପରିଣାମ ନିମନ୍ତେ ଗଠନମୂଳକ ଭାବେ କାର୍ଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଡିସେମ୍ବର 2020ରେ ଅନୁଷ୍ଠିତ ଜଳବାୟୁ ମହତ୍ବାକାଂକ୍ଷା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ଶ୍ରୀ ଶର୍ମା ସ୍ମରଣ କରିଥିଲେ।
ଭାରତ-ବ୍ରିଟେନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ।



