ଗଣ ଦୁଷ୍କର୍ମ ଅଭିଯୁକ୍ତ ବିବନ ବିଶ୍ଵାଳ ହେଲା ଧରା : ପୀଡ଼ିତା କହିଲେ ଫାଶି ଖୁଂଟରେ ଝୁଲାଇ ଦିଅ

ଜେ ବି ଏନ, ୨୩/୦୨ /୨୦୨୧, ଭୁବନେଶ୍ଵର: ଓଡ଼ିଶାର ବହୁ ଚର୍ଚ୍ଚିତ ୧୯୯୯ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। ଏହି ଗଣ ଦୁଷ୍କର୍ମର ପଳାତକ ଅଭିଯୁକ୍ତ ବିବନକୁ ଘଟଣାର ୨୨ ବର୍ଷ ପରେ କମିଶନରେଟ ପୋଲିସ ମୁମ୍ବଇରୁ ଗିରଫ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୀଡ଼ିତା।
ପୀଡ଼ିତା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଭିଯୁକ୍ତକୁ ତା’କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ, ନଚେତ ତା’କୁ ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ) ଜେଲ୍ରେ ରଖାଯାଉ। ପୀଡ଼ିତା କହିଛନ୍ତି, ସେ ଏବେ କିଛିଟା ଆଶ୍ଵସ୍ତ ଅନୁଭବ କରୁଛନ୍ତି। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବାରୁ ସେ ଖୁସି ଅଛନ୍ତି। ଏହା ସହିତ ସେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏବଂ ତାଙ୍କ ଟିମ୍କୁ ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ, ପୀଡ଼ିତା ଏବଂ ତାଙ୍କର ଜଣେ ସାମ୍ବାଦିକ ବନ୍ଧୁ ୧୯୯୯ ଜାନୁୟାରୀ ୯ରେ କାର୍ରେ ଯାଉଥିବାବେଳେ ବାରଙ୍ଗ ନିକଟରେ ଏକ ସୁନସାନ୍ ଜାଗାରେ ତାଙ୍କୁ ଅଟକା ଯାଇଥିଲା। ଅଭିଯୁକ୍ତମାନେ ତାଙ୍କୁ ବନ୍ଧୁଙ୍କ ସାମ୍ନାରେ ଗଣବଳାତ୍କାର କରିଥିଲେ। ଦୁଇ ଅଭିଯୁକ୍ତଙ୍କୁ ୧୯୯୯ ଜାନୁୟାରୀ ୨୬ରେ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ପୀଡ଼ିତା ଜଣେ ଭାରତୀୟ ବନ ସେବା ଅଧିକାରୀଙ୍କ ପତ୍ନୀ ଥିଲେ। ତେବେ ଏହି ଜଘନ୍ୟ ଅପରାଧ ପଛରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ବନ୍ଧୁ ତଥା ପୂର୍ବତନ ଆଡ୍ଭୋକେଟ୍ ଜେନେରାଲ ଇନ୍ଦ୍ରଜିତ ରାଏଙ୍କ ହାତ ଥିବା ନେଇ ପୀଡ଼ିତା ଅଭିଯୋଗ କରିବା ପରେ ରାଜ୍ୟରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା। ଏହି ଘଟଣା ପାଇଁ ରାଜ୍ୟରେ ଶାସକ କଂଗ୍ରେସ ପାର୍ଟିର ଛବି ଖରାପ ହୋଇଯାଇଥିଲା। ଦଳୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଫଳରେ ଜାନକୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଗିରିଧର ଗମାଙ୍ଗଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଜାନକୀ ୧୯୮୦ରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୯୮୯ ପର୍ଯ୍ୟନ୍ତ ସେ ୨ ଥର ମୁଖ୍ୟମନ୍ତ୍ରୀ ରହିଥିଲେ। ୧୯୯୫ରେ ସେ ୩ୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଏହି ଗଣବଳାତ୍କାର ଘଟଣା ଏବଂ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାକୁ ନେଇ ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବା ଯୋଗୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ୨୦୧୫ ଏପ୍ରିଲ ୨୧ରେ ଜାନକୀଙ୍କ ପରଲୋକ ଘଟିଥିଲା।



