ଫାଇଲେରିଆ ରୋଗର ନିରାକରଣ ନେଇ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟୀ ବୈଠକ

ଜେ ବି ଏନ, ୨୩/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଫାଇଲେରିଆ ରୋଗକୁ ନିୟନ୍ତ୍ରଣ ଓ ଏହାର ନିରାକରଣ ନିମନ୍ତେ ସାର୍ବଜନିନ ଔଷଧ ସେବନକୁ ନେଇ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ରୋଗର ଲକ୍ଷଣକୁ ଜାଣିବା ସହ ସଚେତନ ରହିଲେ ଏହି ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଅଙ୍ଗନୱାଡି ଓ ଆଶା କର୍ମୀମାନେ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରିବା ସହ ଔଷଧ ବଣ୍ଟନ ଉପରେ ସେ ଗୁରୁତ୍ବାରୋପ କରିଥିଲେ । ସମୁହ ଔଷଧ ସେବନ କାର୍ଯ୍ୟକ୍ରମ ଚଳିତ ମାସ ୨୫ ତାରିଖରୁ ମାର୍ଚ୍ଚ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ପ୍ରସ୍ତୁତ ହୋଇଥିବା ଏକ ଅଣୁ ଯୋଜନା ଅନୁଯାୟୀ ଜିଲ୍ଲାରେ ସମୁଦାୟ ୧୨ ଲକ୍ଷ ୫୭ହଜାର ୪୪୦ ଜଣଙ୍କୁ ଗୋଟିଏ ଲେଖାଏଁ ଆଲବେଣ୍ଡାଜୋଲ ବଟିକା ଓ ୩୧ଲକ୍ଷ ୪୩ ହଜାର ୬୦୦ ଡିଇସି ବଟିକା ପ୍ରଦାନ କରାଯିବ । ଏଥିପାଇଁ ୨୫୫୦ଜଣ ଔଷଧ ବିତରଣକାରୀ ଏବଂ ୨୫୫ ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ସମୁଦାୟ ୧୯୩୦ ଗ୍ରାମର ୧୭୫ଟି କେନ୍ଦ୍ରରେ ଏହି ଔଷଧ ବିତରଣ କରାଯିବ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ଅଭୟ କୁମାର ଦାଶ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଫାଇଲେରିଆ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା ସମ୍ପର୍କରେ ଆଲୋକପାତ କରିଥିଲେ । ବି.ଭି.ଡି.ସି. ନିରୁପମା ଦାସ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ଅଣୁ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଫାଇଲେରିଆ ରୋଗ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ସମସ୍ତେ ଯେପରି ଔଷଧ ସେବନ କରିବେ ସେଥିପାଇଁ ବିଭାଗୀୟ କର୍ମକର୍ତ୍ତାମାନେ ବିଶେଷ ଯନ୍ନବାନ ହେବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ରୋଗର କୌଣସି ଟିକା ବାହାରି ନ ଥିବାରୁ ସମୁହ ଔଷଧ ସେବନ ଦ୍ଵାରା ଏହାକୁ ରୋକାଯାଇପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଥିଲେ । ଏହି ଔଷଧ ସେବନ ଦ୍ଵାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ୨ ବର୍ଷରୁ କମ୍ ଶିଶୁ , ଗର୍ଭବତୀ ମହିଳା ଏବଂ ଦୀର୍ଘ ଦିନ ରୋଗରେ ପିଡିତ ବ୍ୟକ୍ତିମାନଂକ ବ୍ୟତିତ ଅନ୍ୟ ସମସ୍ତେ ଏହି ଔଷଧ ସେବନ କରିପାରିବେ । ଚଳିତ ମାସ ୨୫ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଂକରେ ଏକ ସମୟରେ ଔଷଧ ସେବନ କରାଯିବା ପାଇଁ ସ୍ଥିର କରାଯାଇଛି । ୨୫ ତାରିଖ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଅନୁଷ୍ଠାନମାନଂକରେ ଔଷଧ ପହଂଚାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଂକ ମଧ୍ୟରେ ହେଲଥ ଏକ୍ସପର୍ଟ ଡା . ମଦନ ମୋହନ ପ୍ରଧାନ , ଏ ଡି ପି ଏଚ୍ ଓ ଡା . ପୃଷିମା ଉଦଗାତା ପ୍ରମୁଖ ଉପସ୍ଥିତ ଥିଲେ ।



