ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ : ଜିଲ୍ଲାପାଳ, ଏସ୍ପି କରିବେ କୋଭିଡ୍ ନିୟମ କଡ଼ାକଡ଼ି

ଜେ ବି ଏନ, ୨୭/୦୨/୨୦୨୧, ଭୁବନେଶ୍ବର : ଭୁବନେଶ୍ବର : ରାଜ୍ୟରେ ସଂଭାବିତ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବାକୁ ସରକାରୀ ସ୍ତରରେ ରୀତିମତ ଉଦ୍ୟମ ଜାରି ରହିଛି । ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀ ମହାପାତ୍ର କହିଥିଲେ ଯେ ସଂକ୍ରମଣ ପ୍ରତିରୋଧର ଏକ ଗୁରୁତ୍ବପୂର୍ଣ୍ଣ ଉପାୟ ହେଉଛି ସଂକ୍ରମିତ ଲୋକଙ୍କୁ ପ୍ରଥମରୁ ଚିହ୍ନଟ କରି ଚିକିତ୍ସା ଓ ପୃଥକବାସ ନିମନ୍ତେ ଆବଶ୍ୟକ ପରାମର୍ଶ ଦେବା। ତା’ ଛଡ଼ା ଅଧିକ ଲୋକ ଯାତାୟାତ ସ୍ଥାନ, ହାଟ, ବଜାର, ସହର ଓ ଗ୍ରାମଗୁଡ଼ିକରେ ମାସ୍କ ପିନ୍ଧିବା ଓ ପରସ୍ପର ଠାରୁ ଦୂରତା ରକ୍ଷା କରିବା ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଆବଶ୍ୟକ। ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ପରିଚାଳନାରେ ଜିଲ୍ଲା ଓ ପଞ୍ଚାୟତଗୁଡ଼ିକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ଓଡ଼ିଶା ଅପେକ୍ଷାକୃତ ଭଲ ସ୍ଥିତିରେ ଅଛି। ସମ୍ଭାବ୍ୟ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ରୋକିବା ନିମନ୍ତେ ଅଧିକ ଦକ୍ଷତାର ସହ ଟିମ୍ ମନୋଭାବରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ, ସରପଞ୍ଚ, ୱାର୍ଡମେମ୍ବର ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।



