

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥନିର୍ମାଣର ଶୁଭ ଅନୁକୂଳ
ପୁରୀ – ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଠାକୁରଙ୍କ ରଥକାଠ ଅନୁକୂଳ ହୋଇଛି। ଟିନି ରଥନିର୍ମାଣର ଶୁଭ ଅନୁକୂଳ ହୋଇଛି ବଡ଼ଦାଣ୍ଡ ଠାରେ।
ଅପରାହ୍ନ ୪.୪୦ ମିନିଟ୍ରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ତିନିବାଡର ପୂଜାପଣ୍ଡା ସେବାୟତମାନେ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପହଞ୍ଚି ଥିଲେ। କାର୍ଯ୍ୟ ସମ୍ମୁଖ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା। ଶ୍ରୀମନ୍ଦିର ବ୍ରାହ୍ମଣ ଓ ରାଜପୁରୋହିତଙ୍କ ଦ୍ୱାରା ବନଯାଗ ବିଧିରେ ପୂଜାର୍ଚ୍ଚନା ସହ ବିଶ୍ଵକର୍ମା ମହାରଣାଙ୍କ ଶାଢୀ ବନ୍ଧା ନୀତି ହୋଇଥିଲା। ପରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଓ ଏହି ଯାତ୍ରା ସୁରୁଖୁରୁରେ କିଭଳି ସମ୍ପାଦନ ହେବ ସେ ନେଇ ସମସ୍ତେ ପ୍ରାର୍ଥନା କରିଥିଲେ। ୧୦ ଜଣ ମହାରଣା ଶାଢ଼ୀ ବାନ୍ଧିବା ପରେ ପ୍ରଥମେ ତାଳଧ୍ଵଜ, ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥ ପାଇଁ ଉଦ୍ଦିଷ୍ଟ ଧଉରା କାଠ ଅନୁକୂଳ ହୋଇଥିଲା।






