Spread the love

ଡ୍ରେନରୁ ବର୍ଷା ଜଳ ନିଷ୍କାସନ ନ ହେବାରୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ସମୟରେ ବିଦ୍ୟାଳୟ ପରିସରରେ ପଶିଲା ବର୍ଷାଜଳ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ତେବେ ଗୁରୁବାର ମଧ୍ୟାହ୍ନରେ କିଛିସମୟ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଉକ୍ତ ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକ ଦେଇ ଯାଇଥିବା ପଞ୍ଚାୟତ ରାସ୍ତାକଡ଼ରେ ଥିବା ଡ୍ରେନରୁ ବର୍ଷା ଜଳ ନିଷ୍କାସନ ହୋଇପାରି ନ ଥିଲା। ବର୍ଷା ଜଳ ସିଧା ବିଦ୍ୟାଳୟ ପରିସର ମଧ୍ୟରେ ପଶି ଆଣ୍ଠୁଏ ଲେଖାଏ ପାଣି ଜମା ହୋଇ ଲହଡ଼ି ଭାଙ୍ଗିଥିଲା। ଠିକ୍‌ ସେହି ସମୟରେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପାଇଁ ଛୁଟି ହୋଇଥିବା ବେଳେ ଡାଇନିଂ ରୁମ୍‌ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ କଷ୍ଟ ସହିବାକୁ ପଡ଼ିଛି। ଛାତ୍ରଛାତ୍ରୀଙ୍କୁ ଝିପି ଝିପି ବର୍ଷାରେ ଗୋଟିଏ ସ୍ଥାନ ବଦଳରେ ସ୍ଥାନ ଅଭାବରୁ ବୁଲି ବୁଲି ଖୋଲା ପଡିଆ, ଶ୍ରେଣୀ ପିଣ୍ଡା ରେ ଖାଇବାକୁ ପଡ଼ିଛି। ସମ୍ପ୍ରତି ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରାୟ ୨୬୮ ଜଣ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ସେମାନଙ୍କ ପାଇଁ ୪ଟି ପକ୍କା ଘର ଶ୍ରେଣୀ କୋଠା ରହିଛି। ଅନ୍ୟ କଚ୍ଚା ୩ଟି ଶ୍ରେଣୀ ଗୃହ ରହିଛି ଏବଂ ଅନ୍ୟ କିଛି ଶ୍ରେଣୀ ଗୃହ ଅତି ପୁରାତନ ହୋଇଥିବାରୁ ତାକୁ ବ୍ୟବହାର କରାଯାଉନାହିଁ। କଚ୍ଚା ଶ୍ରେଣୀ ଗୃହରେ ବର୍ଷା ପାଣି ଗଳୁଥିବା ବେଳେ ପିଲାଙ୍କ ପାଠ୍ୟପୁସ୍ତକ ଓଦା ହେଇଯାଉଥିବା ଛାତ୍ରୀଛାତ୍ର କହିଛନ୍ତି। ସେମାନଙ୍କ ଖେଳପଡ଼ିଆ ସମେତ ପକ୍କା ଶ୍ରେଣୀଗୃହ, ଡାଇନିଂ ହଲ୍‌, ଲାଇବ୍ରେରୀ, କମ୍ପ୍ୟୁଟର ଶିକ୍ଷା ଆଦି ଆବଶ୍ୟକ ରହିଥିବା ଛାତ୍ରୀଛାତ୍ର କହିଛନ୍ତି। ଦୀର୍ଘଦିନ ହେଲା ଶ୍ରେଣୀ ଗୃହର ମରାମତି ହେଉ ନ ଥିବାରୁ ପାଣି ଗଳୁଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏନେଇ ପ୍ରଶାସନକୁ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି। ଉକ୍ତ ବିଦ୍ୟାଳୟ ଖୁବ୍‌ଶୀଘ୍ର ରୂପାନ୍ତରୀକରଣ କାର୍ଯ୍ୟ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଚାଲିଥିବା ପ୍ରଧାନ ଶିକ୍ଷକ ବିଦେଶୀ ନାୟକ କହିଛନ୍ତି। ଏହି ବିଦ୍ୟାଳୟ ଟି ୧୩୫ ବର୍ଷ ପୁରୁଣା କିନ୍ତୁ ଏତେ ପୁରାତନ ବିଦ୍ୟାଳୟର ବିକାଶ ଅପହଞ୍ଚ ଜିଲା ପ୍ରଶାସନ ଉକ୍ତ ବିଦ୍ୟାଳୟର ଶୀଘ୍ର ବିକାଶ କରିବା ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ବିଦ୍ୟାଳୟର ପୁରାତନ ଛାତ୍ର ତଥା ମୋ ସ୍କୁଲ ପରିଚାଳନା କମିଟିର ସଦସ୍ୟ ବରୁଣ କୁମାର ବେହେରା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *