Spread the love

ରକ୍ତ ପାଇଁ ଜୟଦେବ ଙ୍କ ଦେଶ ଭ୍ରମଣ : ସାଇକେଲରେ ହର ଘର ରକ୍ତଦାତା ଅଭିଯାନ ସଚେତନତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସାଇକେଲ ମ୍ୟାନ୍ ଅଫ ଇଣ୍ଡିଆ ଭାବେ ପରିଚିତ ଜୟଦେବ ରାଉତ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପହଞ୍ଚିଛନ୍ତି | ଶ୍ରୀ ରାଉତ ଜଣେ ସ୍ବେଚ୍ଛାସେବୀ। ରକ୍ତଦାତାଙ୍କ ସହ ରକ୍ତଦାନ ଏବଂ ହର ଘର ରକ୍ତଦାତା ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ସେ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି। ଗତ ୨୦୨୨ ଅକ୍ଟୋବର ୧ ତାରିଖରୁ ସେ ନିଜର ଯାତ୍ରା ଆରମ୍ଭ କରିଥିଲେ। ଭାରତ ସାରା ଯାତ୍ରା କରିବା ସହ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ସମସ୍ତଙ୍କୁ ପ୍ରେରଣା ଦେବେ। ଶ୍ରୀ ରାଉତ ଙ୍କ ନିଜ ଗ୍ରାମ ଓଡିଶା ର ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ବିଲ୍ଵ କବିରାଜ ସାହିର ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି କୋଲକାତା ରେ ରହି ଆସୁଛନ୍ତି l ସେ ପଶ୍ଚିମବଙ୍ଗରୁ ଯାତ୍ରା ଆରମ୍ଭ କରି ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଜାମୁ କାଶ୍ମୀର, ଲଦାକ, ପଞ୍ଜାବ, ରାଜସ୍ଥାନ, ବିହାର, ଛତିଶଗଡ଼, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ଗୋଆ, ପଣ୍ଡିଚେରୀ ହୋଇ ବର୍ତ୍ତମାନ ଓଡ଼ିଶାର କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦୀର୍ଘ ୩୦୦ ଦିନ ପରେ ପହଞ୍ଚିଥିବା ଯୋଗୁଁ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ର ଯୁବ ରେଡ଼କ୍ରସ ତରଫରୁ ଶ୍ରୀ ରାଉତଙ୍କୁ ମହାବିଦ୍ୟାଳୟ ସଭା ଗୃହକୁ ପାଛୋଟି ଆଣି ସେଠାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଯୁବ ରେଡକ୍ରସ୍ ର କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ଦଣ୍ଡପାଣି ଭୂୟାଁ, ଏନ୍ଏସ୍ଏସ୍ ଯୋଜନା ଅଧିକାରୀ ଅରୁନ୍ଧତୀ ପ୍ରଧାନ ପିଇଟି ଗଙ୍ଗାଧର ପଣ୍ଡା, ଧନ୍ଦାମୂଳକ ଶିକ୍ଷା ତାଲିମ ଦାତା କାର୍ତ୍ତିକ ଚନ୍ଦ୍ର ସାମଲ, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରତ୍ୟୁଷ ରଞ୍ଜନ ଶତପଥୀଙ୍କ ସମେତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ରାଉତ ଫେଡେରେସନ୍ ଅଫ୍ ବ୍ଲଡ୍ ଡୋନର ଅର୍ଗାନାଇଜେସନ୍ ଅଫ୍ ଇଣ୍ଡିଆର ଆଜୀବନ ସଦସ୍ୟ ସହ ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । ‘ହର୍ ଘର୍ ରକ୍ତଦାତା’ର ମନ୍ତ୍ର ନେଇ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ‘ଭାରତ ଯୁବକମାନଙ୍କର ଦେଶ। ମୁଁ ଏକୁଟିଆ ଚାହିଲେ କିଛି ହେବ ନାହିଁ। ପ୍ରତ୍ୟେକ ଯୁବକ ଏହାକୁ ଏକ ସଂକଳ୍ପ ଭାବରେ ନେଲେ ଭାରତ ରକ୍ତଦାନ କ୍ଷେତ୍ରରେ ଶୀର୍ଷରେ ରହିବ’ ବୋଲି ସେ କହିଛନ୍ତି। ତାଙ୍କର ଏହି ଯାତ୍ରା ପଶ୍ଚିମବଙ୍ଗ ର କୋଲକାତାରୁ ଆରମ୍ଭ କରି କୋଲକାତାରେ ହିଁ ଶେଷ କରିବେ ବୋଲି ପ୍ରକାଶ କରିବା ସହ ନିଜର ଯାତ୍ରା ଆରମ୍ଭ କରିଥିଲେ l

Leave a Reply

Your email address will not be published. Required fields are marked *