ସଫଳ ସାମ୍ବାଦିକ ପରେ ସଫଳ ଚାଷୀ ରୂପେ ପରିଚୟ ସୃଷ୍ଟି କଲେ ବିଜୟ ସ୍ବାଇଁ
ଅନୁଗୋଳ – ଅନୁଗୋଳରେ କଣ ସାରା ରାଜ୍ୟରେ ଏବେ ଟମାଟୋ ଦର ଆକାଶ ଛୁଆଁ। ଏହି ସମୟରେ ଅନୁଗୋଳ ଜିଲ୍ଲାର ହିଂସଲୋଇ ଗ୍ରାମର ବିଜୟ ସ୍ବାଇଁ ଚର୍ଚ୍ଚାରେ। କାରଣ ଉନ୍ନତ ପ୍ରଣାଳୀରେ ଟମାଟୋ ଚାଷ କରି ଆଜି ଜିଲ୍ଲାର ନାମ ଉଚ୍ଚ କରିଛନ୍ତି। ସବୁଆଡେ ତାଙ୍କରି ଚାଷର ଚର୍ଚ୍ଚା। ଏହି ଟମାଟୋ ଚାଷ କୁ ଆରମ୍ଭ କରିଛନ୍ତି ନିଯା ଫାର୍ମ ହାଉସରୁ। ବିଜୟ ସ୍ବାଇଁ ସୁଦୂର ରାୟପୁରରୁ ଉନ୍ନତ ମାନର ଟମାଟୋ ଚାରା ଆଣି କ୍ଷେତରେ ଲଗାଇଥିଲେ। ନିଜର ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ଆଜି ତାଙ୍କୁ ଜଣେ ସଫଳ ଚାଷୀ ରୂପେ ପରିଚୟ ଦେଇଛି। ପ୍ରତି ଗଛରେ ୫/୬ କେଜି ଟମାଟୋ ଫଳିଛି। କଥା ହେଉଛି ବର୍ଷା ଋତୁରେ ଟମାଟୋ ଚାଷ କରି ସଫଳ ହୋଇଛନ୍ତି ବିଜୟ।
ଦିନେ ଥିଲେ ସାମ୍ବାଦିକ ଆଜି କିନ୍ତୁ ସଫଳ ଚାଷୀ। ନିଜର ଇଚ୍ଛା ଶକ୍ତି ବଳରେ ଜଣେ ସାମ୍ବାଦିକ ମଧ୍ୟ ଜଣେ ସଫଳ ଚାଷୀ ହୋଇ ପାରିବ, ଏହାକୁ ପ୍ରମାଣିତ କରି ଦେଖେଇଛନ୍ତି ଅନୁଗୋଳ ଜିଲ୍ଲାର ପତ୍ରକାର ବିଜୟ ସ୍ବାଇଁ। ଓଡ଼ିଶା ପତ୍ରକାର ସଂଘ ଅନୁଗୋଳ ଶାଖାର ସେ ଥିଲେ ଜଣେ ବରିଷ୍ଠ ପତ୍ରକାର ଓ ସଦସ୍ୟ।
ଏବେ ଆସନ୍ତୁ ଜାଣିବା କେମିତି ଉନ୍ନତ ପ୍ରଣାଳୀରେ ଚାଷ ଆରମ୍ଭ କଲେ ସାମ୍ବାଦିକ ବିଜୟ ସ୍ବାଇଁ। ଯେଉଁଠି ଚାଷୀ ଚାଷ କାମ ଛାଡି ଅନ୍ୟ ସ୍ଥାନରେ ଶ୍ରମିକ ହେଉଛନ୍ତି। ସେହି ସମୟରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ନିଜେ ଚାଷ କରି ଅନ୍ୟ ଶିକ୍ଷିତ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ଏବେ ଉକ୍ତ ଅଞ୍ଚଳର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଚାଷ କାମକୁ ନେଇ ଉତ୍ସାହ ବଢ଼ିବ, ତାହା ସ୍ପଷ୍ଟ ହୋଇଛି। ବିଜୟ ସ୍ବାଇଁ ସବୁବେଳେ କିଛି ନା କିଛି ଖବର ପାଇଁ ଚର୍ଚ୍ଚାରେ ଆସନ୍ତି, ଆଜି ପୁଣି ଚର୍ଚ୍ଚାରେ ଜଣେ ସଫଳ ଚାଷୀ ହିସାବରେ।








