ଆମେ ପରିବର୍ତ୍ତନ ଆଣିପାରିବା କାର୍ଯ୍ୟକ୍ରମ “ସମ୍ଭବ” ବୈଠକ ଅନୁଷ୍ଠିତ
ଢେଙ୍କାନାଳ, ତା. ୩୧.୦୮.୨୦୨୩ –
ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆମେ ପରିବର୍ତ୍ତନ ଆଣି ପାରିବା କାର୍ଯ୍ୟକ୍ରମ “ସମ୍ଭବ” ବୈଠକ ଅନୁଷ୍ଠିତ ହୋଇଯାଇଛି । କିଶୋରୀମାନଙ୍କ ଅଧିକାରଗୁଡିକର ରକ୍ଷା ଏବଂ ସେମାନଙ୍କୁ ସଶକ୍ତ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ଜାରି ରହିଛି । ମହିଳା ଅଧିକାରୀମାନଙ୍କୁ ନେଇ ଗଠିତ ଏକ ଟିମ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଗସ୍ତ କରି କିଶୋରୀ ମାନେ ସମ୍ମୁଖୀନ ହେଉଥିବା ସମସ୍ତ ପ୍ରକାରର ଅସୁବିଧା ସମ୍ପର୍କରେ ପଚାରି ବୁଝି, ତା’ର ସମାଧାନ ଦିଗରେ ଯବାନ ଅଛନ୍ତି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ଅଙ୍ଗନୱାଡି କର୍ମୀମାନେ ଜଣେ ଜଣେ କିଶୋରୀଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ କହିଛନ୍ତି । ଅଧାରୁ ପାଠ ଛାଡି ଥିବା ସମସ୍ତ କିଶୋର-କିଶୋରୀ ମାନଙ୍କୁ ଚିହ୍ନଟ କରି ପୁଣି ବିଦ୍ୟାଳୟକୁ ଫେରାଇ ଆଣିବାକୁ ସେ ସମସ୍ତ ଶିକ୍ଷକମାନଙ୍କୁ କହିଛନ୍ତି । ଶିକ୍ଷାନୁଷ୍ଠାନ ଗୁଡିକରେ କିଶୋରୀମାନଙ୍କର ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରିବାର ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।
କିଶୋରୀ ମାନଙ୍କ ଅଧିକାରର ରକ୍ଷା ଏବଂ ସେମାନଙ୍କୁ କିପରି ସଶକ୍ତ କରାଯାଉଛି, ସେମ୍ପର୍କରେ ୟୁନିସେଫର ଜିଲ୍ଲା ସଞ୍ଜୋଜିକା ଶ୍ରୀମତୀ ଅଙ୍ଗୁର ମିଶ୍ର ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇ କହିଥିଲେ । ବାଲ୍ୟ ବିବାହ ରୋକିବା, ବାଳଶ୍ରମିକଙ୍କୁ ଉଦ୍ଧାର କରିବା, ଅଧାରୁ ପାଠ ଛାଡିଯାଇଥିବା ପିଲାଙ୍କୁ ପୁଣି ବିଦ୍ୟାଳୟକୁ ଆଣିବା, ଶୀଘ୍ର ଗର୍ଭ ଧାରଣ ନ କରିବା ଦିଗରେ ସଚେତନ କରିବା, କିଶୋରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣନା କରିଥିଲେ । ରାଜ୍ୟ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଜିଲ୍ଲାର ଅଧାରୁ ପାଠ ଛାଡିଯାଇଥିବା ୩୫୭ ଜଣ କିଶୋର-କିଶୋରୀ (୧୪ ରୁ ୧୮ ବର୍ଷ) ଙ୍କୁ ଠାବ କରାଯାଇ ପାଠ ପଢିବାର ବ୍ୟବସ୍ଥା କରାଯାଇ ପାରିଛି ବୋଲି ଜଣା ଯାଇଛି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, ସମସ୍ତ ବିଡିଓ, ତହସିଲଦାର, ବିଭିନ୍ନ ଲାଇନ ଡିପାର୍ଟ ମେଣ୍ଟ ଅଧ୍ୟାକାରୀ, ସି.ଡି.ପି.ଓ. ମାନେ ଯୋଗ ଦେଇଥିଲେ ।




