ଭୂବନେଶ୍ଵର, ୨୩/୧୨ : ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା । ପ୍ରଥମେ ହୀରାକୁଦ ଡ୍ୟାମରୁ ଆରମ୍ଭ ହେବ ପକ୍ଷୀ ଗଣନା । ଯେଉଁମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟ ପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ। ହୀରାକୁଦରେ ଆବଶ୍ୟକ ଖାଦ୍ୟ ମହଜୁଦ ସାଙ୍ଗକୁ ଉପଯୁକ୍ତ ପରିବେଶ ମିଳୁଥିବାରୁ ଦିନକୁ ଦିନ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତବର୍ଷ ହୀରାକୁଦକୁ ୧୧୨ ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୩୯ଟି ପକ୍ଷୀ ଆସିଥିଲେ । ପକ୍ଷୀ ଗଣନା ପକ୍ରିୟା ୧୬ ତାରିଖରୁ ଆରମ୍ଭ ହେବ । ଏଥର ସାରା ରାଜ୍ୟରେ ଗୋଟିଏ ଦିନରେ ହେବ ପକ୍ଷୀ ଗଣନା ।
ଏହି ଗଣନାରେ ଫ୍ଲେମିଂଗୋର ଟ୍ରାକିଂ କରାଯିବ । ଚିଲିକା, ଭିତରକନିକା, ହୀରାକୁଦ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୦ଟି ଫ୍ଲେମିଂଗୋରଙ୍କ ଗୋଡରେ ସାଟେଲାଇଟ ଟ୍ରାକିଂ ରିଙ୍ଗ ଲଗାଯିବାର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ କି ବିଦେଶରୁ ଆସୁଥିବା ପାଖି ମାନଙ୍କ ଉପରେ ନଜର ରଖାଯାଇପାରିବ । ତେବେ ପକ୍ଷୀଙ୍କ ଗୋଡରେ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ ପକ୍ଷୀ ସାଇବେରିଆରୁ ଆସୁଛନ୍ତି ନା ଆଉ କେଉଁ ଦେଶରୁ ଆସୁଛନ୍ତି, ତାହା ସହଜରେ ଅନୁଧ୍ୟାନ କରିହେବ । ଗତ ନଭେମ୍ବର ଶେଷ ସୁଦ୍ଧା ୪ ଲକ୍ଷ ୯୪ ହଜାର ୩୬୬ଟି ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇସାରିଛି । ସେଥିରୁ କେବଳ ଚିଲିକାର ନଳବଣରେ ୨ ଲକ୍ଷ ୧୭ ହଜାର ୧୭୦ଟି ବିଦେଶାଗତ ପକ୍ଷୀଙ୍କ ଆଗମନ ଆକଳନ କରାଯାଇଛି ।



