Spread the love

ଭୂବନେଶ୍ୱର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ୟଶ ଜୈନ ନିଟ-ସୁପର ସ୍ପେଶାଲିଟି ପରୀକ୍ଷା-୨୦୨୪ (ସର୍ଜିକାଲ୍ ଗ୍ରୁପ୍) ରେ ଟପ୍ପର ହୋଇଛନ୍ତି।

ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିବା ସହ ଓଡ଼ିଶାକୁ ଗର୍ବିତ କରିଥିବାରୁ ୟଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୟଶ୍ ଙ୍କର ଏହି ଉପଲବ୍ଧି ଓଡ଼ିଆ ବିଦ୍ୟାର୍ଥୀଙ୍କ ଅସୀମ ସାମର୍ଥ୍ୟର ଏକ ଜ୍ୱଳନ୍ତ ପ୍ରମାଣ।

ୟଶଙ୍କର ସଫଳତା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା ସହ ସ୍ୱପ୍ନ ଦେଖିବାର ସାହସ ଯୋଗାଇଛି। ଆଗାମୀ ଦିନରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ରେ କହିଛନ୍ତି ମୁଖ୍ୟମନ୍ତ୍ରୀ।ୟଶ ମୁମ୍ବାଇର ସେଠ୍ ଗୋର୍ଧନଦାସ ସୁନ୍ଦରଦାସ ମେଡିକାଲ କଲେଜର କିଙ୍ଗ ଏଡୱାର୍ଡ ମେମୋରିଆଲ୍ ହସ୍ପିଟାଲରୁ ଏମବିବିଏସ ସମାପ୍ତ କରିଥିଲେ। ସେ ନାଗପୁରର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ସ୍ନାତକୋତ୍ତର ଶିକ୍ଷା କରିଥିଲେ।ସେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ ସେ ପ୍ରଥମ ପ୍ରୟାସରେ NEET SS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଦିଲ୍ଲୀର GB ପନ୍ତ ହସ୍ପିଟାଲରୁ ଗ୍ୟାଷ୍ଟ୍ରୋ-ସର୍ଜନ କରିବାକୁ ଚାହାଁନ୍ତି। ‘ମୁଁ ହସ୍ପିଟାଲରେ ରୋଗୀଙ୍କ ସେବା କରିବା ସମୟରେ ଗତ ବର୍ଷ ଜୁନ୍ କିମ୍ବା ଜୁଲାଇ ମାସରୁ ପ୍ରସ୍ତୁତି ଆରମ୍ଭ କରିଥିଲି। ମୁଁ ଅନଲାଇନ୍ କୋଚିଂ ନେବା ସହ ପ୍ରତିଦିନ ଆଠରୁ ୧୪ ଘଣ୍ଟା ପଢ଼ୁଥିଲି। ଗତ ୩ ମାସ ଧରି ରିଭିଜନରେ ଧ୍ୟାନ ଦେଇଥିଲି। ମୁଁ ପ୍ରତିଦିନ ପ୍ରାୟ ୧୫୦ MCQ ସମାଧାନ କରୁଥିଲି। ମୁଁ ଏକ ଭଲ ରେଜଲ୍ଟ ପାଇଁ ଆଶାବାଦି ଥିଲି କିନ୍ତୁ କେବେ ଟପ୍ ହେବା ବିଷୟରେ ଭାବି ନଥିଲି’। ତେବେୟଶ ତାଙ୍କ ପାଠପଢ଼ା ସମାପ୍ତ କରିବା ପରେ ଲୋକଙ୍କ ସେବା କରିବା ପାଇଁ କଣ୍ଟାବାଞ୍ଜି ଫେରିବାକୁ ଚାହାଁନ୍ତି ବୋଲି କହିଛନ୍ତି।ନୂଆଦିଲ୍ଲୀର ନ୍ୟାସନାଲ୍ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସେସ୍ (NBEMS) ୨୬ ଏପ୍ରିଲରେ ଆନୁଷ୍ଠାନିକ ଭାବରେ ଫଳାଫଳ ଘୋଷଣା କରିଥିଲା। ଦେଶବ୍ୟାପୀ ବିଭିନ୍ନ DM/MCh ଏବଂ DrNB ସୁପର ସ୍ପେଶାଲିଟି ପାଠ୍ୟକ୍ରମରେ ପ୍ରବେଶ ପାଇଁ ପରୀକ୍ଷା ୨୯ ଏବଂ ୩୦ ମାର୍ଚ୍ଚ, ୨୦୨୫ ରେ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *