କଟକ: ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଜଷ୍ଟିସ୍ ଶ୍ରୀପଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ ଶ୍ରୀପଦ ।
ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିଲେ ଜଷ୍ଟିସ ଶ୍ରୀପଦ ।
ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କର ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି ।ଆଜିର ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୋଲିସ କମିଶନର, କଟକ ଡିସିପିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଆଇନଜୀବୀମାନେ ଉପସ୍ଥିତ ଥିଲେ ।ତେବେ ଜଷ୍ଟିସ ଶ୍ରୀପଦ ୧୯୬୪ ମସିହା ଜୁଲାଇ ୨୦ରେ ଜନ୍ମ ଗ୍ରହଣ କରିଥିଲେ । ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ବେଙ୍ଗାଲୁରୁ ଆଇନ ମହାବିଦ୍ୟାଳୟରେ ସେ ଆଇନ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ୨୦୧୮ ମସିହା ଫେବ୍ରୁଆରୀ ୧୪ ତାରିଖ ରେ ସେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୦୨୦ ଜାନୁଆରୀ ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ ।



