ଭଣଭଣ ମଶାରେ ଲୋକେ ଅଣାୟତ : ଭୟ ଘାରୁଛି ଡ଼େଙ୍ଗୁ ଓ ମ୍ୟାଲେରିଆ
ତାଳଚେର, ୦୩/୦୮ ମୌସୁମୀ ବର୍ଷା ପୂର୍ବରୁ ପରିମଳ ବ୍ୟବସ୍ଥାକୁ ସୁଧାରିବା ପୌରସଂସ୍ଥା ପକ୍ଷରୁ ପଦକ୍ଷେପ ନିଆଯିବା ନିତ୍ୟାନ୍ତ ଆବଶ୍ୟକ । ମଶା ଉପଦ୍ରବ ସହରରେ ବଢ଼ୁଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ପୌରସଂସ୍ଥା ପକ୍ଷରୁ ଏହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯାଉ ନାଥିବା ଅଭିଯୋଗ ହେଉଛି । ପୌରସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ଦ୍ୱାରା ନଳା ନର୍ଦ୍ଦମାରେ ମଶା ତେଲ ପକାଯାଇଥାଏ । ପୌରସଂସ୍ଥାର ମଶାଧୂଆଁ ଛାଡ଼ିପାଇଁ ମେସିନ୍ ଥିଲେ ମଧ୍ୟ ତାହା କାଁଭାଁ ବ୍ୟବହାର ହେଉଛି । ଫଳରେ ମଶା ଉପଦ୍ରବକୁ ରୋକି ହେଉ ନାହିଁ ଯେଉଁଠି ବସିଲେ ଭଣଭଣ ମଶା, ଏହାକୁ ନେଇ ଡ଼େଙ୍ଗୁ ଓ ମ୍ୟାଲେରିଆ ଭୟ ଲୋକଙ୍କ ମନରେ ଘାରି ହେଉଥିବା ଚା’ ଖଟି ଗୁଡ଼ିକରେ ଚର୍ଚ୍ଚା ହେଉଛି । ପୌରାଚଂଳର ୨୧ଟି ୱାର୍ଡ଼ରେ ଥିବା ଡ଼୍ରେନ ଓ ବିଭିନ୍ନ ଖାଲୁଆ ସ୍ଥାନରେ ପାଣି ଜମି ରହି ମଶାଙ୍କ ବଂଶ ବୃଦ୍ଧି ପାଉଥିବା ବେଳେ ପ୍ରାୟ ଡ଼୍ରେନ ଗୁଡ଼ିକରେ ଅଳିଆ ଦେଖିବାକୁ ମିଳୁଛି । ମଶାବଂଶ ବୃଦ୍ଧିକୁ ରୋକିବାପାଇଁ ପୌରସଂସ୍ଥା ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଉ ନାହିଁ । କେତେକ ସ୍ଥାନରେ ନଳାକାମ ଆଦୌ ହୋଇନଥିବା ବେଳେ ଆଉ କିଛି ସ୍ଥାନରେ ନଳା ଭାଙ୍ଗିରୁଜି ଯାଇଛି । ଡ଼୍ରେନ ଜଳ ନିଷ୍କାସନ ପାଇଁ କୌଣସି ସୁବ୍ୟବସ୍ଥା ହେଉ ନଥିବା ଅଂଚଳବାସୀ ମାନେ କହୁଛନ୍ତି । ପୌରସଂସ୍ଥାରେ ମଶାଧୂଆଁ ମେସିନ୍ ରହିଥିଲେ ମଧ୍ୟ ତାହା ଠିକ୍ ଭାବରେ ବ୍ୟବହାର କରାଯାଉ ନାହିଁ । ମଶାତେଲ ପକାଇବାକୁ ପୌରସଂସ୍ଥା କିଛି ଠିକାକର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ସାଧାରଣତଃ କହିବାକୁ ଗଲେ ପୌରସଂସ୍ଥା ନିଜ ଦାୟୀତ୍ୱ ଠିକ୍ ଭାବେ ତୁଲାଉନଥିବା ସହରବାସୀ ଅଭିଯୋଗ କରୁଛନ୍ତି । ବିଶେଷଜ୍ଞମାନେ ମତଦେଇଛନ୍ତି ଯେ, ମଶାମାନେ ପ୍ରାୟ ୩କିମି ରାସ୍ତା ଅତିକ୍ରମ କରି ତାଙ୍କ ବଂଶ ବିସ୍ତାର କରିପାରନ୍ତି । ସହରରେ ୩କିମି ମଧ୍ୟରେ ଏକାଧିକ ଥର ଡ଼୍ରେନ୍ ଓ ପାଣି ଜମୁଥିବା ସ୍ଥାନରେ ଔଷଧ ସିଂଚନ କରାଗଲେ ମଶାବଂଶ ନିୟନ୍ତ୍ରଣ କରିବାରେ ସହାୟକ ହୋଇ ପାରନ୍ତା । ଜନସ୍ୱାସ୍ଥ୍ୟ ବିଭାଗ ଓ ପୌରକର୍ମଚାରୀ କେବେ କେମିତି ଗୋଟିଏ ଲେଖାଏଁ ୱାର୍ଡ଼ରେ କାମଚଳା ଭାବେ ଔଷଧ ସିଂଚନ କରାଯାଉଛି । ଯାହା ଫଳରେ ମଶାମାନେ ସେହି ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଛାଡ଼ି ପଳାଉଛନ୍ତି । ଔଷଧର ପ୍ରକୋପ ସାମାନ୍ୟ କମିବାପରେ ସେମାନେ ପୁନର୍ବାର ସେହି ସ୍ଥାନକୁ ଆସି ଅଣ୍ଡାଦେଇ ବଂଶ ବିସ୍ତାର କରିଥାନ୍ତି । ଏହା ଦ୍ୱାରା ସେମାନଙ୍କ ଦେହରେ ଔଷଧ ସହନଶକ୍ତି ବୃଦ୍ଧି ପାଇଥାଏ । ଭବିଷ୍ୟତରେ ସେମାନଙ୍କ ପାଇଁ ଏହି ଔଷଧ କାମ କରିବ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ପୌରସଂସ୍ଥା ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବରେ ଏହି କାର୍ଯ୍ୟ କରାଯିବାକୁ ବହୁବାର ନିଷ୍ପତି ନେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଫଳରେ ମଶାଙ୍କ ଉତ୍ପାତ ବୃଦ୍ଧି ପାଇବା ସହ ମ୍ୟାଲେରିଆ ଓ ଡ଼େଙ୍ଗୁ ପ୍ରଭୃତି ରୋଗରେ ଜନସାଧାରଣ ଆକ୍ରାନ୍ତ ହେଉଛନ୍ତି । ତେଣୁ ତୁରନ୍ତ ପୌରସଂସ୍ଥା ଉଚିତ୍ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।



