ଓଡିଶା ରେ ଜଟିଳ ଛତିଶଗଡ ରେ ସରଳ “ଧାନ ପଞ୍ଜିକରଣ”
ଭଟଲି:- ଜୟ କିସାନ ଆନ୍ଦୋଳନ ର ଏକ ପ୍ରତିନିଧି ମଣ୍ଡଳୀ ଛତିଶଗଡ ର ଧାନ ବିକ୍ରି ପାଇଁ ପଞ୍ଜିକରଣ ବ୍ଯବସ୍ଥା ବିଷୟରେ ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ସୋସାଇଟି ବୁଲି ଚାଷୀ ଏବଂ ସମବାୟ ସମିତି ର ଅଧିକାରୀ ମାନଙ୍କୁ ଭେଟିଥିଲେ। ଓଡିଶାରେ ଚାଷୀମାନଙ୍କୁ ପଞ୍ଜିକରଣ ପାଇଁ ସର୍ବାଧିକ ଗୋଟିଏ ମାସ ଦିଆଯାଇଥିବା ବେଳେ ଛତିଶଗଡ ରେ ଦୀର୍ଘ ଚାରି ମାସ ପଞ୍ଜିକରଣ କରିବା ପାଇଁ ସେଠିକାର ସରକାରଙ୍କ ତରଫରୁ ଏକ ଚିଠି ମାଧ୍ୟମରେ ସମସ୍ତ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଓଡିଶା ରେ ଧାନ ବିକ୍ରି ର ବିକେନ୍ଦ୍ରୀକରଣ, କଟଣି ଛଟଣି ଓ ଦଲାଲ୍ରାଜ ଚାଲିଥିବା ବେଳେ ପଞ୍ଜିକରଣ ବ୍ଯବସ୍ଥା ମଧ୍ଯ ଅତି ଜଟିଳ କରିଛନ୍ତି ଓଡିଶା ସରକାର। ଉଭୟ ରାଜ୍ୟ ରେ ଡବଲ ଇଞ୍ଜିନ୍ ସରକାର ଚାଲିଥିବା ବେଳେ ଓଡିଶାର ଚାଷୀମାନଙ୍କୁ କାହିଁକି ଏପରି ହଇରାଣ କରାଯାଉଛି ବୋଲି ଜୟ କିସାନ ଆନ୍ଦୋଳନ ତରଫରୁ ପ୍ରଶ୍ନ କରାଯାଇଛି। ଯଦି ଏବିଷୟରେ ସରକାର କିମ୍ବା ବିଧାୟକମାନେ ଅବଗତ ନୁହନ୍ତି ତାହେଲେ ସେମାନେ ଛତିଶଗଡ ଯାଇ କିଛି ଶିକ୍ଷାଲାଭ କରନ୍ତୁ ବୋଲି ସଂଗଠନ ତରଫରୁ ଆହ୍ୱାନ ଦିଆଯାଇଛି।
ଜୟ କିସାନ ଆନ୍ଦୋଳନ ର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ ଏବଂ ସାଧାରଣ ସଂପାଦକ ହର ବଣିଆଁ ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ଛତିଶଗଡ ର ଚିବରାକୁଟା ଏବଂ ସାଗରପାଲି ( ରୁଢା) ପ୍ରାଥମିକ କୃଷି ସମବାୟ ସମିତି ଯାଇ ଚାଷୀମାନଙ୍କୁ ଏବଂ ଅଧିକାରୀମାନଙ୍କୁ ସେଠିକାର ବ୍ଯବସ୍ଥା ବିଷୟରେ ପଚାରିବା ବୁଝିଥିଲେ।
ଧାନ ବିକ୍ରି ପାଇଁ ଓଡିଶା ସରକାର ଙ୍କ ନୂତନ ପଞ୍ଜିକରଣ ନିର୍ଦ୍ଦେଶାବଳୀ ବ୍ଯବସ୍ଥା ରେ ଚାଷୀ ହନ୍ତ ସନ୍ତ ହୋଇ ଆନ୍ଦୋଳନ ମୁହାଁ ହେଲାପରେ ସ୍ବଘୋଷଣାନାମା ରେ ପଞ୍ଜିକରଣ ହେଲା। ଏଥିସହିତ ସରକାର ସମୟସୀମା କୁ ମାତ୍ର ପାଞ୍ଚ ଦିନ ବୃଦ୍ଧି କଲେ। ସରଳ ପଞ୍ଜିକରଣ ଏବଂ ସମୟ ସମୟସୀମା ବୃଦ୍ଧି ପରେ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ସରଭର ସମସ୍ୟା କାରଣ ଚାଷୀମାନଙ୍କୁ ଅନେକ୍ ଦିନ ସୋସାଇଟି କୁ ଦୌଡିବାକୁ ପଡିଥିଲା। କିନ୍ତୁ ଛତିଶଗଡ ରେ ସଂପୂର୍ଣ୍ଣ ଓଲଟା। ସେଠି ସରକାର ଜିଲ୍ଲାପାଳମାନଙ୍କୁ ଚିଠି କରି ଚାରି ମାସ ପଞ୍ଜିକରଣ କରିବାର ବ୍ଯବସ୍ଥା କରିଛନ୍ତି। ଚାଷୀମାନେ ମନ ଇଚ୍ଛା କାମଧନ୍ଦା କରି ଖାଲି ସମୟରେ ପଞ୍ଜିକରଣ କରାଉଛନ୍ତି। ସେଠି ଚାଷୀ ର କେବଳ ଆଧାର କାର୍ଡ ଏବଂ ନୋମିନି ଭାବରେ ଆଉ ଜଣକର ଆଧାର କାର୍ଡ ଦେଇଦେଲେ ପଞ୍ଜିକରଣ ହୋଇଯାଉଛି । ଯଦି ସଂପୃକ୍ତ ଚାଷୀ କୌଣସି କାରଣ ରୁ ଧାନ ବିକ୍ରି ପାଇଁ ଆସିପାରିବେ ନାହିଁ ତାହେଲେ ସେ ଦେଇଥିବା ନୋମିନି ଧାନ ବିକ୍ରି କରିପାରିବେ। ସେଠିକାର ଚାଷୀମାନଙ୍କ ଏତେଗୁଡିଏ ସୁବିଧା ଦିଆଯାଉଥିବା ବେଳେ ଓଡିଶା ରେ ଏତେ କଟକଣା କାହିଁକି ବୋଲି ସଂଗଠନ ତରଫରୁ ପ୍ରଶ୍ନ କରାଯାଇଛି। ଯଦି ଏହି ସବୁ ବିଷୟରେ ଆମ ସରକାର ଅନଭିଜ୍ଞ ତାହେଲେ ସେଠି ଯାଇ କିଛି ଶିକ୍ଷାଲାଭ କରନ୍ତୁ ବୋଲି ସଂଗଠନ ତରଫରୁ ଆହ୍ୱାନ ଦିଆଯାଇଛି । ଆଗାମୀ ଦିନରେ ପଞ୍ଜିକରଣ ଓ ଧାନ ବିକ୍ରି ବ୍ଯବସ୍ଥା ଛତିଶଗଡ ଭଲି କରନ୍ତୁ ଅନ୍ୟଥା ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧି ମଣ୍ଡଳୀ ରେ ଉମେଶ ସାହୁ ଏବଂ ସୋଭାକର ସାହୁ ପ୍ରମୁଖ ପଡୋଶୀ ରାଜ୍ୟ ଛତିଶଗଡ ଯାଇଥିଲେ।



