” *ପଦ୍ମପୁରରେ ବିରାଟ କୃଷକ ସଂଗଠନର ୧୧ ଦଫା ସମ୍ମିଳିତ ଦାବୀପତ୍ର ପ୍ରଦାନ ସହ ପ୍ରଶାସନକୁ କଡ଼ା ଚେତାବନୀ”*

ବରଗଡ:୮/୧୧(ପବିତ୍ର ମେହେର) ଖରିଫ ଋତୁ ଧାନ କିଣାବିକା ପୂର୍ବରୁ ଚାଷୀ ସଂଗଠନ ଦେଖାଇଲା ଦମ। ଦୁଇଦିନ ମଧ୍ୟରେ ବଞ୍ଚିତ ଚାଷୀଙ୍କ ନାମ ପଞ୍ଜିକରଣ କର, ଏଗାର ଦଫା ଦାବୀ ସରକାର ପୂରଣ କର, ଯଦି ସରକାର ନ ଶୁଣନ୍ତି ତାହାହେଲେ ଆସନ୍ତା ନଭେମ୍ବର ୧୦ ତାରିଖ ଜିଲ୍ଲା ସ୍ଥରୀୟ ଧାନ ସଂଗ୍ରହ ବୈଠକକୁ ଚାଷୀ ସଂଗଠନ ଦୃଢ଼ତାର ସହିତ ବିରୋଧ କରିବ ଏବଂ ଦରକାର ପଡିଲେ ଆନ୍ଦୋଳନରେ ବସିବ। ଏଥିପାଇଁ ଯେଉଁ ଆଇନ ଶୃଙ୍ଖଳା ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସରକାର ଦାୟୀ ରହିବ ବୋଲି ପଦ୍ମପୁରରେ ଆୟୋଜିତ ବିରାଟ କୃଷକ ସଚେତନତା ସମାବେଶରେ ରାଜବୋରାସମ୍ବର କୃଷକ ସଂଗଠନ ଓ ସଂଯୁକ୍ତ କୃଷକ ସଂଗଠନ ଖୋଲା ଚେତାବନୀ ଦେଇଛି।

ଆଜି ଥିଲା ଐତିହାସିକ ନଭେମ୍ବର ୮ତାରିଖ, ପ୍ରତିବର୍ଷ ଭଳି ପଦ୍ମପୁରରେ ପଶ୍ଚିମ ଓଡ଼ିଶାର ପୁଣି ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ ଏଗାର ଦଫା ଦାବୀ ପୂରଣ ପାଇଁ ଆଠ ଘଣ୍ଟା ଧରି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭୁଲ ନୀତି ଉପରେ ବର୍ଷିଛନ୍ତି ଚାଷୀ ସଂଗଠନର କର୍ମକର୍ତ୍ତା ମାନେ।ମରିବୁ ପଛେ ଛାଡ଼ିବୁ ନାହିଁ। ଭିକ୍ଷା ନୁହେଁ ଆମକୁ ଆମର ହକ ଦିଅ,ଏଣିକି ପଲ୍ଲୀର ସ୍ୱର ଦିଲ୍ଲୀ ଯାଏ ଗୁଞ୍ଜରିତ ହେବ। ବରଗଡ଼ ଜିଲ୍ଲାର ଚାଷୀ ସମସ୍ୟା ନେଇ ଦିଲ୍ଲୀରେ ଲଢେଇ କରିବ ।କେନ୍ଦ୍ରୀୟ ଚାଷୀ ସଂଗଠନ ସହ ଆସନ୍ତା ନଭେମ୍ବର ୨୬ରେ ହେବ ମହାମେଲି ଆଉ ଏହି ମହାମେଲିରେ ଓଡ଼ିଶାର ଭାତ ହାଣ୍ଡି ଭାବରେ ପରିଚିତ ବରଗଡ଼ ଜିଲ୍ଲାର ଏଗାର ଦଫା ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଦାବୀ ଉପସ୍ଥାପନ କରିବ। ଏହି ସମାବେଶରେ ସଂଯୁକ୍ତ କିସାନ ମୋର୍ଚ୍ଚା ସଦସ୍ୟ ରାଜେନ୍ଦ୍ର ଚୌଧୁରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି। କେନ୍ଦ୍ରୀୟ ଚାଷୀ ନେତା ପ୍ରକାଶ କରିଥିଲେ ଯେ ସାରା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ପ୍ରେରଣା ଏବଂ ଶକ୍ତିର ଉତ୍ସାହ ଯୋଗାଇଥିଲା ପଦ୍ମପୁର ଚାଷୀ ସଂଗଠନ।ସେହିପରି ସମାବେଶରେ ସଂଯୁକ୍ତ କୃଷକ ସଂଗଠନ ବରଗଡ଼ର ଚାଷୀନେତା ରମେଶ ମହାପାତ୍ର ସିଧା ସଳଖ ସରକାରଙ୍କ ଭୁଲ ନୀତି ଯୋଗୁ ଆମେ ଗରିବ ବୋଲି ଅଭିହିତ କରି ଏଗାର ଦଫା ଦାବୀ ପୂରଣ କରିବାକୁ ଦାବୀ କରିଥିଲେ। ଧାନ କାର୍ଡ ପଞ୍ଜିକରଣରେ ବାଦ ପଡ଼ିଥିବା ସମସ୍ତ ଚାଷୀଙ୍କ ପଞ୍ଜିକରଣ କରାଯାଉ, ମୋନ୍ଥା ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ଏବଂ କୃଷି ବୀମା ପ୍ରଦାନ କରାଯାଉ, ବିସ୍ଥାପନ ବିହୀନ ଜଳସେଚନ, କୃଷି ଜାତ ଫସଲର ଉଚିତ ମୂଲ୍ୟ,ସୁନିଶ୍ଚିତ ବଜାର ବ୍ୟବସ୍ଥା,ମଣ୍ଡିରେ ଧାନ ପଡ଼ିବାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ଧାନ କିଣା ଯାଉ, କଟନି ଛଟଣୀ ବନ୍ଦ କରାଯାଉ, ଚାଷୀଙ୍କ ଉତ୍ପାଦିତ ସମସ୍ତ ଧାନ କିଣା ଯାଉ, ଶୀତଳ ଭଣ୍ଡାର,ବିଦ୍ୟୁତ ବିଲ ଛାଡ କରାଯାଉ, ପଦ୍ମପୁର ଜିଲ୍ଲା କେବେ ହେବ ଭଳି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରା ନ ଗଲେ ଭୟଙ୍କର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ସଂଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧିଙ୍କ ସଭାପତିତ୍ୱରେ ସମାବେଶ ଚାଲିଥିବା ବେଳେ ଲିଙ୍ଗରାଜ ପଧାନ ପରିଚାଳନା କରିଥିଲେ। ଅଶୋକ ସାହୁ ସଂଗଠନର ବିବରଣୀ ପଠନ କରିଥିଲେ ଏବଂ ସଂଯୁକ୍ତ କୃଷକ ସଂଗଠନ ସଦସ୍ୟ ଟିକେଲାଲ ମିଶ୍ର, ଅଭିମନ୍ୟୁ ପଧାନ, ଠାକୁର ରାମ ପଟେଲ, ଥବିର ସାହୁ, କାରଣ ସାହୁ, ରବିଶଙ୍କର ପଧାନ, ଅରବିନ୍ଦ ପଣ୍ଡା, ସୁବାସ ସାମନ୍ତରାୟ, ରୋହିତ ପଧାନ, କୈଳାସ ବାରିକ, ପଞ୍ଚାନନ ସାହୁ, ମହେନ୍ଦ୍ର ପଧାନ, ଦହିତ ସାହୁ, ସୁରେଶ ନିକେଣ୍ଟି, ସମେତ ସମର୍ଥିତ କୋଶଲ ସେନାର ବୀରବଲ ମହାକୁଡ଼, ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ଅଙ୍ଗ ନଦୀ ପ୍ରତିରୋଧ କମିଟିର ବିଜୟ ସାହୁ,ଜିଲ୍ଲା ଓବିସି ମଞ୍ଚର ସପ୍ତସିନ୍ଧୁ ବଗର୍ତ୍ତୀ ବକ୍ତବ୍ୟ ରଖିଥିବା ବେଳେ ପୋଲିସ ଦ୍ୱାରା ଉତ୍ପନ୍ନ ଭୋଇ, ଅଭିମନ୍ୟୁ ପଧାନ, ଶଙ୍କର ଖମାରୀ, କାରଣ ସାହୁ ଏବଂ ସୁଦାମ ପାତ୍ରଙ୍କ ବିରୋଧରେ ମିଛ ମୋକଦ୍ଦମାକୁ ତୀବ୍ର ନିନ୍ଦା କରିଥିଲେ ଏବଂ ତୁରନ୍ତ କେଶ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

