ଭାରତ ବନ୍ଦ ସମର୍ଥନ ନିଷ୍ପତ୍ତି ନେବେ
ମୁଖ୍ୟମନ୍ତ୍ରୀ
ଜେ. ବି. ଏନ୍ (୦୭/୧୨/୨୦୨୦
ଭୁବନେଶ୍ବର : ଭାରତ ବନ୍ଦକୁ ବିଜୁ ଜନତା ଦଳ ସମର୍ଥନ ଦେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । କିନ୍ତୁ ଚାଷୀ ସମସ୍ୟା ପ୍ରତି ଆମ୍ଭର ନୈତିକ ସମର୍ଥନ ରହିଛି ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ଆମେ ଆମର ଆଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଛୁ । ବିଜେଡି ସବୁବେଳେ ଚାଷୀଙ୍କ ସହ ରହିଛି ବୋଲି ଦେବୀ ମିଶ୍ର କହିଛନ୍ତି ।ସୂଚନାଯୋଗ୍ୟ ଯେ, ନୂଆ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ କୃଷକ ସଂଗଠନ ତରଫରୁ ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଗତ ୧୧ଦିନ ହେଲା ରାଜଧାନୀରେ ବିଭିନ୍ନ କୃଷକ ସଂଗଠନମାନେ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି । ସରକାର ଓ କୃଷକଙ୍କ ମଧ୍ୟରେ ୫ମ ଥର ପାଇଁ ବୈଠକ ବସି ସାରିଲାଣି, କିନ୍ତୁ କୌଣସି ସୁଫଳ ମିଳୁନାହିଁ । ଡିସେମ୍ବର ୯ରେ ଆଗାମୀ ବୈଠକ ବସିବ ।
କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରାକୁ ଦେଶର ୧୧ଟି ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ଏହି ସବୁ ଦଳ ମଧ୍ୟରେ କଂଗ୍ରେସ, ଆରଜେଡ଼ି, ଟିଏମସି, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଟିଆରଏସ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ରହିଛନ୍ତି ।



