
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା ବୈଠକ
ଜେ ବି ଏନ, ୮/୧୨/୨୦୨୦, ଅନୁଗୋଳ : ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସଠିକ୍ କାର୍ଯ୍ୟକାରିତାକୁ ନେଇ ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ‘ ରୁମ୍ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନଂକର ନାମକୁ ଅନ୍ ଲାଇନ୍ ପୋର୍ଟାଲରେ ଡିଜିଟାଇଜେସନ୍ କରିବା ସହ ଆଧାର ସଂଯୋଗୀକରଣ ଓ ଏହାର ସଠିକ୍ ସଂଶୋଧନ କାର୍ଯ୍ୟକୁ ୧୫ ଦିନ ମଧ୍ୟରେ ସାରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସମସ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀମାନେ Death Vacancy ରେଜିଷ୍ଟରକୁ ସଠିକ୍ ଭାବେ ପରିଚାଳନା କରିବା ସହ ହିତାଧିକାରୀ ଅଗ୍ରାଧିକାର ତାଲିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ତାଲିକା ଅନୁଯାୟୀ ଭତ୍ତା ମିଂଜୁର ନିମନ୍ତେ ଉପଜିଲ୍ଲାପାଳମାନଂକ ନିକଟକୁ ଦରଖାସ୍ତ ପ୍ରେରଣ କରିବାକୁ ପରାମର୍ଶ ଦେଇଛନ୍ତି । ଭତ୍ତା ପାଉଥିବା ହିତାଧିକାରୀମାନଂକର ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର NSAP ପୋର୍ଟଲରେ ସଂଯୋଗୀକରଣ କରାଯିବ । କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତିମାନଂକୁ ‘ ସହାୟ ଯୋଜନାରେ ସହାୟତା ଉପକରଣ ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥଲେ । ସେହିପରି କିନ୍ନରମାନଂକୁ ବିଭିନ୍ନ ସରକାରୀ ଯୋଜନା ଯୋଗାଇ ଦେଇ ସମ୍ମାନର ସହ ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ଥିବା ଭିନ୍ନକ୍ଷମମାନଂକୁ ସଠିକ୍ ଭାବେ ଚିହ୍ନଟ କରାଯାଇ ସହାୟତା ପ୍ରଦାନ ନିମନ୍ତେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନର ମେଗା କ୍ୟାମ୍ପ ଆୟୋଜନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମାଧବ ଚନ୍ଦ୍ର ବରାଡ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଉପଖଣ୍ଡ , ବ୍ଲକ୍ ଓ ପୌରପରିଷଦର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।




