SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ; ରାହୁଲ-ପ୍ରିୟଙ୍କାଙ୍କୁ ପୁଲିସ ଅଟକ
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ନିରୀକ୍ଷଣ ପ୍ରକ୍ରିୟା (SIR) ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକର ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି। ନିର୍ବାଚନ ଆୟୋଗଙ୍କୁ ଭେଟିବା ଦାବିରେ ସଂସଦରୁ ଆୟୋଗ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ବିରୋଧୀ ସାଂସଦମାନଙ୍କୁ ପୁଲିସ ଅଟକାଇଥିଲା।
ପରେ ଆକାଶବାଣୀ ଭବନ ନିକଟରେ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ। ପ୍ରାୟ ୯ ଘଣ୍ଟା ଧରି ବିକ୍ଷୋଭରେ ବସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଲିସ ହେପାଜତକୁ ନେଇଥିବା ଜଣାପଡ଼ିଛି। ରାହୁଲଙ୍କ ସହ ପ୍ରିୟଙ୍କା ଗାନ୍ଧି, ଚରଣଜିତ ସିଂହ ଚନ୍ନି, ଦୀପେନ୍ଦ୍ର ହୁଡ୍ଡା ଓ ପବନ ଖେଡାଙ୍କ ସମେତ ଅନ୍ୟ ନେତାମାନଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।
ଧାରଣାସ୍ଥଳରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସିପିଆଇ ନେତା ଡି. ରାଜା ଏବଂ ଇଣ୍ଡିଆ ମେଣ୍ଟର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧି କହିଛନ୍ତି, ୩୦୦ରୁ ଅଧିକ ବିରୋଧୀ ସାଂସଦ କୋଟି କୋଟି ଭାରତୀୟଙ୍କ ପ୍ରତିନିଧିତ୍ୱ କରୁଥିବା ସତ୍ତ୍ୱେ ନିର୍ବାଚନ ଆୟୋଗ ସେମାନଙ୍କ ସହ ଆଲୋଚନା କରୁନାହାନ୍ତି। ନିର୍ବାଚନରେ କଥିତ ‘ଭୋଟ ଚୋରି’ ସମ୍ପର୍କିତ ଅଭିଯୋଗ ଆୟୋଗଙ୍କ ସମ୍ମୁଖରେ ରଖିବାକୁ ସେମାନେ ଚାହୁଁଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ନିର୍ବାଚନ ଆୟୋଗର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆୟୋଗ ବିଜେପି ପାଇଁ କାମ କରୁଥିବା ଅଭିଯୋଗ କରି ସେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି।
ବିରୋଧୀଙ୍କ ଏହି ମାର୍ଚ୍ଚକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୩ ହଜାରରୁ ଅଧିକ ପୁଲିସ ଓ RAF ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି। ଯାତାୟାତ ନିୟନ୍ତ୍ରଣ ପାଇଁ କେତେକ ରାସ୍ତାରେ ଟ୍ରାଫିକ୍ ଡାଇଭର୍ସନ୍ ମଧ୍ୟ କରାଯାଇଛି।
