Spread the love

*ଅନୁଗୋଳ ଗସ୍ତରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ*
-ଆଲୁମିନିୟମ ପାର୍କ, FSTPର ବାୟୋ-ମାଇନିଂ ଏବଂ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପ୍ରକଳ୍ପର ସମୀକ୍ଷା


ଅନୁଗୋଳ, ୩୦.୧୦ : ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆଜି ଦିନିକିଆ ଅନୁଗୋଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବା ସହ ଭିତ୍ତିଭୂମି ଓ ଶିଳ୍ପ ବିକାଶ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର ଗସ୍ତ ସମୟରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସଚିବ ନାଲ୍‌କୋ ନିକଟସ୍ଥ ଆଲୁମିନିୟମ ପାର୍କ ପରିଦର୍ଶନ କରିଥିଲେ। ଏହି ଶିଳ୍ପାଞ୍ଚଳର ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମୀକ୍ଷାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ , ଆଇଏଏସ ପ୍ରୋବେସନର ଶ୍ରୀ ଅଭି ଜୈନ୍, ଜିଲ୍ଲା ଶିଳ୍ପକେନ୍ଦ୍ର ମହା ପ୍ରବନ୍ଧକ ଶ୍ରୀ ଶିବାଶିଷ କାନୁନଗୋ, ଅନୁଗୋଳ ପୌର ପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ସମେତ ଇଡକୋ, TPCODL, RWSS ଓ ନାଲକୋର କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗୋଳ ପୌରପାଳିକା ଅନ୍ତର୍ଗତ FSTP (Fecal Sludge Treatment Plant) ପରିଦର୍ଶନ କରିଥିଲେ। ପଞ୍ଚମହଲାଠାରେ ଚାଲିଥିବା ପୁରୁଣା ଆବର୍ଜନା ପରିଚାଳନାର ବାୟୋ-ମାଇନିଂ ପ୍ରକଳ୍ପର କାର୍ଯ୍ୟଶୈଳୀ ଅନୁଧ୍ୟାନ କରି କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିଥିଲେ।ପରବର୍ତ୍ତୀ ସମୟରେ ସେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ନିର୍ମାଣାଧୀନ ପ୍ରକଳ୍ପ ଗସ୍ତ କରିଥିଲେ। ପ୍ରକଳ୍ପର ସମଗ୍ର ବିକାଶ, ନିଷ୍କାସନ ନାଳୀ (Drainage) ନିର୍ମାଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ସେ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଆବେଦନକାରୀମାନଙ୍କୁ ତୁରନ୍ତ ଫ୍ଲାଟ୍ ହସ୍ତାନ୍ତର କରିବା ପାଇଁ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶେଷରେ ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ସହ ସେ ବଣିଆବାହାଳ ଏବଂ ଲିଙ୍ଗରାଯୋଡ଼ି ଅଞ୍ଚଳର ଜଳବନ୍ଦୀ ପ୍ରଭାବିତ ସ୍ଥାନଗୁଡ଼ିକ ପରିଦର୍ଶନ କରି ବର୍ଷା ଦିନେ ଏହି ସବୁ ଅଞ୍ଚଳରେ ଦେଖାଯାଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ।

Leave a Reply

Your email address will not be published. Required fields are marked *

You missed